Categories: କଟକ

ବେକରେ କଟୁରି ଲଗାଇ ନେଇଗଲେ ଗହଣା, ଟଙ୍କା

ଖୁଣ୍ଟୁଣୀ,୧୯ା୧୦(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଖମାରନୂଆଗାଁ ଗ୍ରାମର ଲଛମନ ରାଉତଙ୍କ ଘରେ ରବିବାର ରାତିରେ ଦୁର୍ବୃତ୍ତମାନେ ଘରଲୋକଙ୍କ ବେକରେ କଟୁରି ଲଗାଇ ୬୬ ଗ୍ରାମ ଓଜନର ଗହଣା ଓ ୨୫ ହଜାର ଟଙ୍କା ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ନଂ.୧୩୯/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାମୁତାବକ, ରବିବାର ରାତିରେ ଲଛମନ ଘର ନିକଟସ୍ଥ ନିଜ ଦୋକାନକୁ ଶୋଇବାକୁ ଯାଇଥିବାବେଳେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ସାନଭାଇ ଦାଶରଥି ଡ୍ୟୁଟିକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୨ଟାବେଳେ ୬ଜଣ ଦୁର୍ବୃତ୍ତ ଘରର ପଛପଟ ପାଚେରି ଡେଇଁ ଘରର ମେନ ସୁଇଚ୍‌ ଅଫ କରି ଦେଇଥିଲେ। ପରେ ଲଛମନଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା, ତାଙ୍କ ୨ ପୁଅଝିଅ ଏବଂ ଭାଇବୋହୂଙ୍କ ବେକରେ କଟୁରି, ଛୁରି ଲଗାଇ ମୋବାଇଲ ଫୋନ ଓ ଆଲ୍‌ମିରା ଚାବି ମାଗି ନେଇଥିଲେ। ଦୁର୍ବୃତ୍ତମାନେ ୨ଟି ଆଲମିରାରେ ଥିବା ୪ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବା ସହ ସମସ୍ତ ସଦସ୍ୟଙ୍କୁ ଏକ ଘରେ ପୂରାଇ ବାହାରୁ କବାଟ ଦେଇ ଫେରାର ହୋଇଯାଇଥିଲେ। ପରେ ଲଷ୍ମୀପ୍ରିୟା ପାଟି କରିବାରୁ ପାଖ ଘରେ ଥିବା ତାଙ୍କ ମା ଆସି ଘର ଖୋଲିଥିଲେ। ଲଷ୍ମୀପ୍ରିୟା ଘଟଣା ବିଷୟରେ ଲଛମନଙ୍କୁ ଜଣାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ସୋମବାର ସକାଳେ ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ, ଚୌଦ୍ୱାର ଏସଡିପିଓ ପ୍ରସାନ୍ତ ମଲ୍ଲ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।