ଷ୍ଟାଫ୍‌ କଲୋନୀରୁ ସୁନାଗହଣା ଲୁଟ୍‌ ଘଟଣା: ସିକ୍ୟୁରିଟି ଅଟକ

ଗଞ୍ଜାମ,୨ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟସ୍ଥ ଗ୍ରାସୀମ କମ୍ପାନୀ ଷ୍ଟାଫ୍‌ କଲୋନୀରେ ଦୀର୍ଘଦିନ ହେବ ରହି ଆସୁଥିବା ସନଟେକ କମ୍ପାନୀ ପରିଚାଳକ ହିମାଂଶୁ ମିଶ୍ରଙ୍କ କ୍ୱାର୍ଟର୍ସରୁ ୮ ଲକ୍ଷ ଟଙ୍କା ସମେତ ସୁନା ଗହଣା ଲୁଟ୍‌ ହୋଇଥିବା ନେଇ ବୁଧବାର ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା l ଏତେ ସଂଖ୍ୟକ ସିକ୍ୟୁରିଟି ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଲୁଟ୍‌ ହେଲା ତାହା ସବୁଠି ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ କିନ୍ତୁ ଏହି ମାମଲା ଜଣେ ସିକ୍ୟୁରିଟିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛ। ପୋଲିସ ଏନେଇ ପଚରାଉଚରା ଜାରି ରଖିବା ସହ ଉକ୍ତ ସିକ୍ୟୁରିଟିଙ୍କ ମୋବାଇଲ ଯାଞ୍ଚ କରୁଛି। ତାଙ୍କ ମୋବାଇଲରୁ ସବୁ ମେସେଜ ଡିଲିଟ ହୋଇଯାଇଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୯ ହଜାର ଟଙ୍କା କେଉଁଠୁ ଆସିଛି ତାହା ସଠିକ୍‌ ତଥ୍ୟ କିମ୍ବା ସନ୍ତୋଷଜନକ ଉତ୍ତର ସିକ୍ୟୁରିଟି ଜଣକ ଦେଇ ପାରୁ ନ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି। ଏଥିସହ ଦୈନନ୍ଦିନ ଷ୍ଟାଫ୍‌ କଲୋନୀକୁ କ୍ଷୀର ଦେବା ଲାଗି ଯାଉଥିବା କିଛି କ୍ଷୀର ବାଲାଙ୍କୁ ମଧ୍ୟ ପୋଲିସ ଥାନାକୁ ଡାକିଥିବା ଜଣାପଡ଼ିଛି l ଅନ୍ୟପଟେ ଏତେ ଟଙ୍କା ଘରେ ରଖି କିପରି ବାହାରକୁ ଯାଇଥିଲେ ଏନେଇ ଆଲୋଚନା ହେଉଛି l ଏହା ମଧ୍ୟ ତଦନ୍ତ ପରିସର ଭୁକ୍ତ ବୋଲି ସ୍ଥାନୀୟ ଅଞ୍ଚଳରେ ବେଶ୍‌୍‌ ଚର୍ଚ୍ଚା ହେଉଛି l