Categories: ଖେଳ

ଜେରିଙ୍କ ଚୁକ୍ତିର ନବୀକରଣ କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଭୁବନେଶ୍ୱରଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ମିଜୋରାମ ଓ୍ବିଙ୍ଗର ଜେରି ମାଓ୍ବିମିଙ୍ଗଥଙ୍ଗାଙ୍କ ସହ ଚୁକ୍ତିର ନବୀକରଣ କରିଛି। ୨୪ ବର୍ଷୀୟ ଜେରି ଗତ ସିଜନର ୧୭ ଗେମ୍‌ରେ ୫ ଗୋଲ ହେବାରେ ସହଯୋଗ କରିଥିଲେ। କୌଣସି ଭାରତୀୟ ଖେଳାଳି ଏହି ସିଜନରେ ତାଙ୍କଠାରୁ ଅଧିକ ଗୋଲରେ ସହଯୋଗ କରି ନ ଥିଲେ। ଏହା ବ୍ୟତୀତ ସେ ୨ଟି ଗୋଲ ମଧ୍ୟ ଦେଇଥିଲେ। ଜେରି ଓଡ଼ିଶା ଏଫ୍‌ସି ପକ୍ଷରୁ ୨ ସିଜନରେ ୩୪ଟି ମ୍ୟାଚ ଖେଳି ୪ଟି ଗୋଲ ଦେଇଛନ୍ତି ଏବଂ ୧୦ ଗୋଲ ହେବାରେ ସହଯୋଗ କରିଛନ୍ତି। ଫଳରେ ୨୦୧୯-୨୦ ସିଜନ ପାଇଁ ତାଙ୍କୁ ଏଫ୍‌ପିଏଆଇ(ଫୁଟ୍‌ବଲ ପ୍ଲେୟର ଆସୋସିଏଶନ ଅଫ୍‌ ଇଣ୍ଡିଆ) ୟଙ୍ଗ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ମିଳିଥିଲା। ଡିଏସ୍‌କେ ଶିବାଜିଆନ ଏକାଡେମୀରେ କ୍ୟାରିୟର ଆରମ୍ଭ କରିବା ପରେ ସେ ଆଇଏସ୍‌ଏଲ୍‌ କ୍ଲବ ନର୍ଥଇଷ୍ଟ ୟୁନାଇଟେଡ ଓ ଜାମସେଦପୁର ଏଫ୍‌ସି ପକ୍ଷରୁ ମଧ୍ୟ ଖେଳିଥିଲେ। ଜେରିଙ୍କ ଚୁକ୍ତି ସମୟ ସୀମା ବଢ଼ିଥିବାରୁ ଖୁସି ଜାହିର କରିଛନ୍ତି ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା। ”ଜେରି କ୍ଲବ ସହ ପୁଣି ରହିବାରେ ମୁଁ ବହୁତ ଖୁସି। ଜେରି କ୍ଲବରେ ଯୋଗଦେବା ଦିନଠାରୁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖି ଆସୁଛି। କ୍ରମାଗତ ସମର୍ଥନ ଦେଇ ଆସିଥିବାରୁ ଜେରି ଏବଂ ତାଙ୍କ ପରିବାରକୁ ଧନ୍ୟବାଦ୍‌“ ବୋଲି ରୋହନ କହିଛନ୍ତି। କ୍ଲବ ସଭାପତି ରାଜ ଅଥଓ୍ବାଲ ମଧ୍ୟ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଖେଳ ଜାରି ରଖିବା ସୁଯୋଗ ପାଇଥିବାରୁ ସେ ଖୁବ୍‌ ଖୁସି ବୋଲି ଜେରି କହିଛନ୍ତି। କ୍ଲବ ସହିତ ପ୍ରତିଟି ମୁହୂର୍ତ୍ତକୁ ସେ ଉପଭୋଗ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବ। ତାଙ୍କପ୍ରତି ସମର୍ଥନ ଜାରି ରଖିଥିବାରୁ ସେ କ୍ଲବ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି।

Share