ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭ ଦିନ ପୂରିଥିଲେ ହେଁ ଚର୍ଚ୍ଚା, ବିବାଦ ଥମୁନି। ଘଟଣାରେ ଜିତୁଙ୍କ ନିକଟକୁ ସମବେଦନା ସହ ଟଙ୍କାର ସୁଅ ଛୁଟୁଛି। ଟଙ୍କାରୁ ଏବେ ଜିତୁଙ୍କ ସାନଭାଇ ଭାଗ ମାଗୁଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ସାନ ଭାଇ ଶଙ୍କରା ମାଡ଼ ମାରିବ ବୋଲି ଜିତୁ କହିଛନ୍ତି। ଖବର ପାଇ ସୋମବାର ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଓ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଡିଆନାଳି ଚତୁରିସାହିରେ ପହଞ୍ଚତ୍ ବୁଝାଶୁଝା କରିବା ସହ ସ୍ଥିତି ଯାଞ୍ଚ କରିଛନ୍ତି। ଜିତୁ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ କଲେ ମାମଲା ରୁଜୁ କରାଯିବ ବୋଲି ପାଟଣା ଥାନା ଅଧିକାରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ କାଲାରାଙ୍କ ଉତ୍ତରାଧିକାରୀ ଢେଙ୍କାନାଳ ଜିଲା ଗନ୍ଦିଆ ତହସିଲ ରାଣେଇ ଗାଁରେ ରହୁଥିବା କୁହାଯାଉଛି। ତାହା ତଦନ୍ତ କରିବାକୁ ପାଟଣା ତହସିଲଦାର ଅଶ୍ୱିନୀ ନାଏକ ଢେଙ୍କାନାଳ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି।