ଜିରା ନଦୀ ପୋଲରେ ଗର୍ତ୍ତ, ବଢୁଛି ଦୁର୍ଘଟଣା

ଭେଡ଼େନ,୧୧ା୮(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅର୍ନ୍ତଗତ ତଥା ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର ଗଣ୍ଡତୁରୁମ ଜୀରା ନଦୀ ପୋଲ ଛାତରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଆବଶ୍ୟକ ମରାମତି ଅଭାବରୁ ସେହି ଗର୍ତ୍ତଗୁଡ଼ିକ ଗଭୀର ହୋଇଛାତର ସେନ୍ଟ୍ରିଂ ଲୁହା ଛଡ଼ ବାହାରକୁ ବାହାରି ପଡ଼ିଛି। ଅପରପକ୍ଷେ ଉକ୍ତ ଗର୍ତ୍ତରେ ପାଣି ଜମି ରହୁଥିବାରୁ ଗାଡ଼ି ଗୁଡ଼ିକ ଜାଣି ନପାରି ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏପରିକି ବିଗତ ଦୁଇ ବର୍ଷ ମଧ୍ୟରେ ଏଠାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ବାଇକ୍‌ ଆରେହୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ।
ବରଗଡ଼ ଜିଲାର ସୀମାନ୍ତରେ ଅବସ୍ଥିତ ପୋଲଟି ସିଧାସଳଖ ପଡ଼େଶୀ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ସମେତ ଜଗନ୍ନାଥ ରୋଡ଼ ଦେଇ ପୁରୀ, କଟକ, ନୟାଗଡ଼, ଖୋର୍ଦ୍ଦା ଆଦି ଜିଲାକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ପ୍ରତ୍ୟହ ଶହଶହ ମାଲବୋଝେଇ ଟ୍ରକ, ଟ୍ୟାଙ୍କର, ଯାତ୍ରୀବାହୀ ବସ ବ୍ରହ୍ମପୁର, ଭୁବନେଶ୍ୱର, କଟକକୁ ୟାତାୟତ କରୁଛି। ସୂଚନାଯୋଗ୍ୟ ଯେ, ମହାନଦୀ ଓ ଜୀରାନଦୀର ସଙ୍ଗମସ୍ଥଳର ମାତ୍ର ୧ କିଲୋମିଟର ଦୂରତାରେ ଏହି ପୋଲ ରହିଛି। ତେବେ ବର୍ଷାଦିନେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଲେ ଜୀରାନଦୀର ପଛୁଆ ପାଣି ଉପରକୁ ଫୁଲି ଉଠି ପୋଲ ଉପରେ ପ୍ରବାହିତ ହୋଇଥାଏ। ଏପରିକି ଏହି ରାସ୍ତା ଦେଇ ୟାତାୟାତ ବିଛିନ୍ନ ହୋଇଥାଏ । ବନ୍ୟାପରେ ପୋଲର ବାଡ଼ ଭାଙ୍ଗି ଛାତକୁ ଦୁର୍ବଳ କରିଥାଏ। ପରେ ଲୋକଦେଖାଣିଆ ଭଳି ପୂର୍ତ୍ତ ବିଭାଗ ଏହାକୁ ଥୁକ୍‌ପାଲିସ ଆକାରରେ ମରାମତି କରାଯାଇଥାଏ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ଶତୃଘ୍ନ କାଲୋଙ୍କୁ ପଚାରିବାରୁ, ମୋ ପାଖରେ କୌଣସି ସୂଚନା ନାହିଁ । ତେବେ ଖୁବ ଶୀଘ୍ର ମରାମତି କରାଯିବ ବୋଲି ଏସଡ଼ିଓ କାଲୋ କହିଛନ୍ତି ।