Categories: ଜାତୀୟ

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ନେତା ସୁଶୀଲ ମୋଦି ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସୁଶୀଲ କହିଛନ୍ତି, ଭାଜପା ଜେଡିୟୁର ପ୍ରତ୍ୟେକ ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ପାଟନାକୁ ଆସି ନୀତୀଶ ଜୀଙ୍କୁ ପଚାରିଥିଲେ  କିଛି ଅସୁବିଧା ଅଛି କି? ସରକାର ପତନର ଗୋଟିଏ ଦିନ ପୂର୍ବରୁ ଆମ ଦଳର ଜଣେ ବଡ ନେତା ଦିଲ୍ଲୀରୁ ଫୋନ ଯୋଗେ ନୀତୀଶଙ୍କୁ ପଚାରିଥିଲେ ସବୁ ଠିକ ଅଛି ତ? ସେ କହିଥିଲେ, ସବୁକିଛି ଠିକ ଅଛି। ଟିଭିରେ ଲଲନ ସିଂଙ୍କ ମନ୍ତବ୍ୟ ଦେଖିଛନ୍ତି କି, ନୀତୀଶ କହିଥିଲେ, ଆପଣଙ୍କ ଦଳରେ ଗିରିରାଜ ଅଛନ୍ତି, ସେମିତି ଆମ ଦଳରେ ଲଲନ ସିଂ ମଧ୍ୟ ଅଛନ୍ତି। ଜେଡିୟୁ ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲା। ତାହା ନ ହେବାକୁ ଏଭଳି ଘଟଣା ଘଟିଛି।
ଆରସିପି ସିଂଙ୍କ ବାହାନାରେ ବିହାରରେ ଜେଡିୟୁକୁ ଦୁର୍ବଳ କରିବାର ଅଭିଯୋଗ ଉପରେ ସୁଶୀଲ ମୋଦି କହିଛନ୍ତି, ଜେଡିୟୁକୁ ଭାଙ୍ଗିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଆଜି ପର୍ଯ୍ୟନ୍ତ ଆମେ କୌଣସି ଦଳ ଭାଙ୍ଗି ନାହୁଁ। ନୀତୀଶ କୁମାରଙ୍କ ସହମତି ବିନା ଆରସିପି ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ମିଥ୍ୟା ପ୍ରଚାର କରାଯାଇଛି। ଏହା ଏକ କଞ୍ଚା ମିଛ, ଅମିତ ଶାହା ନୀତୀଶ କୁମାରଙ୍କୁ ମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ, ସେ ହିଁ ଆରସିପି ସିଂଙ୍କ ନାଁ ଦେଇଥିଲେ। ଆମେ ନୀତୀଶ କୁମାରଙ୍କୁ ପାଞ୍ଚଥର ବିହାରର ମୁଖ୍ୟମନ୍ତ୍ରୀ କରିଛୁ। ୨୦୨୦ ଜନାଦେଶ ହେଉଛି, ନରେନ୍ଦ୍ର ମୋଦିଙ୍କ ଜନାଦେଶ।  ଯଦି ତାହା ନୀତୀଶ କୁମାରଙ୍କ ଜନାଦେଶ ହୋଇଥାନ୍ତା, ତେବେ ତାଙ୍କୁ କେବଳ ୪୩ଟି ଆସନ ମିଳି ନ ଥାନ୍ତା।
ତେଜସ୍ବୀଙ୍କୁ ଟାର୍ଗେଟ୍‌ କରି ସୁଶୀଲ ମୋଦି କହିଛନ୍ତି, ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେ ଜାମିନରେ ଅଛନ୍ତି। କେବେ ବି ଜେଲ ଯିବେ। ଆସନ୍ତାକାଲି ନୀତୀଶ କୁମାର ମଧ୍ୟ ଆରଜେଡିକୁ ଠକି ଦେବେ ଏଥିରେ ସନ୍ଦେହ ନାହିଁ। ଆରଜେଡିର ୮୦ ଜଣ ବିଧାୟକ ଏବଂ ନୀତୀଶଙ୍କ ୪୫-୪୬ ବିଧାୟକ ଅଛନ୍ତି। ନୀତୀଶ କୁମାର କେବଳ ଶୋ’ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ପ୍ରକୃତ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ହିଁ ହେବେ।

Share