Categories: ଜାତୀୟ

ଜେଡିୟୁ ଅର୍ଥ ନୀତୀଶ କୁମାର! ଦଳ ପୋଷ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ରହିବ ଫଟୋ, ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ପାଟନା,୨୯ ।୪: ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଯେ କୌଣସି ପୋଷ୍ଟର ଓ ବ୍ୟାନରରେ ଏବେ କେବଳ ନୀତୀଶ କୁମାରଙ୍କର ଫଟୋ ରହିବ । ଦଳ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇ କର୍ମକର୍ତ୍ତା ଓ ନେତାଙ୍କୁ ସଫା ସଫା ନିର୍ଦ୍ଦେଶ ଦିଆଯାଇଛି କି ଦଳର ଯେ କୌଣସି କାର୍ଯ୍ୟକ୍ରମ ବା ଆୟୋଜନରେ ଯେଉଁ ପୋଷ୍ଟର ବା ବ୍ୟାନର ଲାଗିବ ସେଥିରେ କେବଳ ନୀତୀଶ କୁମାରଙ୍କ ଫଟୋ ରହିବ । ଯିଏ ଏହି ନିର୍ଦ୍ଦେଶକୁ ଅବମାନନା କରିବ ତାଙ୍କ ବିରୋଧରେ ଦଳ ବିରୋଧି ଗତିବିଧି ଓ ଅନୁଶାସନହିନତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ୨୦୨୦ପରେ ଜେଡିୟୁରେ ଲଗାତାର ହେଉଥିବା ପରିବର୍ତ୍ତନ ଯୋଗୁ କେଉଁଠି ନା କେଉଁଠି ଦଳର ଏକତା ଭଙ୍ଗ ହେଉଥିଲା । ଦଳ ଭିତରେ ସବୁବେଳେ କନ୍ଦଳ ଖବର ଆସୁଥିଲା । ଆରସିପି ସିଂ ଓ ଲଲନ ସିଂଙ୍କ ସମର୍ଥକ ପୋଷ୍ଟର ବାହାନାରେ ଶକ୍ତି ପ୍ରଦର୍ଶନ କରୁଥିଲେ । ସେଥିପାଇଁ ଏ ସମସ୍ତ ପ୍ରକାର ସମସ୍ୟା ଉପରେ ବିରାମ ଲଗାଇବା ପାଇଁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଦଳର ପ୍ରଦେଶ ଅଧ୍ୟକ୍ଷ ଉମେଶ କୁଶାବାହ ଏକ ପ୍ରେସ ରିଲିଜ ଜାରି କରି ଏହି ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରର ସର୍ବମାନ୍ୟ ନେତା ଅଟନ୍ତି । ତେଣୁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ କୁହାଯାଉଛି କି ଏବେ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଲେ ସେଠାରେ ଲାଗୁଥିବା ପୋଷ୍ଟର ଓ ବ୍ୟାନରରେ କେବଳ ନୀତୀଶ କୁମାରଙ୍କ ଫଟୋ ରହିବ । ଏହା ବ୍ୟତୀତ ଆଉ କାହାର ଫଟୋ ଲାଗିବ ନାହିଁ ।

Share