Categories: ଜାତୀୟ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ଫାଷ୍ଟ ବୋଲର ଜୟଦେବ ଉନାଦକତଙ୍କୁ ଦଳରୁ ରିଲିଜ୍‌ କରିଛି। ତେବେ ତାଙ୍କ ସ୍ଥାନରେ ଦଳରେ କାହାକୁ ସୁଯୋଗ ଦିଆଯାଇ ନାହିଁ।
ଭାରତର ଘରୋଇ କ୍ରିକେଟରେ ରଣଜୀ ଟ୍ରଫି ମଧ୍ୟ ଖେଳାଯାଉଛି। ସୌରାଷ୍ଟ୍ରର ଦଳ ଫାଇନାଲରେ ପହଞ୍ଚିଛି। ଉନାଦକତ୍‌ ସୌରାଷ୍ଟ୍ର ଦଳର ଦଳର ଅଧିନାୟକ। ଏଭଳି ପରିସ୍ଥିତିରେ ବିସିସିଆଇ ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚ ପୂର୍ବରୁ ଉନାଦକତଙ୍କୁ ଦଳରୁ ରିଲିଜ୍‌ କରିଛି, ଯାହାଫଳରେ ସେ ସୌରାଷ୍ଟ୍ର ଦଳରେ ଯୋଗ ଦେଇ ରଣଜୀ ଟ୍ରଫି ଫାଇନାଲ ଖେଳି ପାରିବେ। ରଣଜୀ ଟ୍ରଫିର ଫାଇନାଲରେ ସୌରାଷ୍ଟ୍ର ବଙ୍ଗଳାକୁ ଭେଟିବ। ଏହି ମ୍ୟାଚ ୧୬ ଫେବୃଆରୀରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ।
ଜୟଦେବଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଖେଳିବା ସମ୍ଭାବାନା କମ। ଭାରତୀୟ ଦଳ ଦୁଇଟି ଦ୍ରୁତ ବୋଲର ଏବଂ ତିନି ଜଣ ସ୍ପିନରଙ୍କ ମିଶ୍ରଣ ସହିତ ପଡିଆକୁ ଓହ୍ଲାଇବ। ଏଭଳି ପରିସ୍ଥିତିରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ଖେଳିବା ପ୍ରାୟ ନିଶ୍ଚିତ। ତୃତୀୟ ପେସର୍‌ ଭାବରେ ଏକ ବିକଳ୍ପ ଭାବରେ ଉମେଶ ଯାଦବ ଅଛନ୍ତି। ଏହି କାରଣରୁ ଜୟଦେବଙ୍କୁ ରିଲିଜ୍‌ କରାଯାଇଥିଲା।

ଭାରତ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଏବଂ ୧୩୨ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦିଲ୍ଲୀରେ ମଧ୍ୟ ଦଳ ଅଗ୍ରଣୀ ବଜାୟ ରଖିବାକୁ ଚାହୁଁଛନ୍ତି। ଚୟନକର୍ତ୍ତାମାନେ କେବଳ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି। ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ଦଳ ଏପର୍ଯ୍ୟନ୍ତ ଚୟନ ହୋଇନାହିଁ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଫାଇନାଲରେ ପହଞ୍ଚିବା ପାଇଁ ଭାରତ ପାଇଁ ଏହି ସିରିଜ ଜିତିବା ଆବଶ୍ୟକ।

Share