Categories: ଖେଳ

ଭାରତୀୟ କ୍ରିକେଟରେ ଇତିହାସ ରଚିଲେ ଉନାଦକଟ

ରାଜକୋଟ,୩।୧: ଭାରତୀୟ ଟିମ୍‌ର ଷ୍ଟାର ଦ୍ରୁତ ବୋଲର ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଇତିହାସ ରଚିଛନ୍ତି। ସେ ସୌରାଷ୍ଟ୍ର ଟିମ୍‌ର ଅଧିନାୟକ ଭାବେ ଏବେ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଖେଳୁଛନ୍ତି। ମଙ୍ଗଳବାର ଦିଲ୍ଲୀ ଟିମ୍‌ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରଥମ ଓଭରରେ ହାଟ୍ରିକ୍‌ ନେଇ ବିରୋଧି ଟିମ୍‌କୁ ଝଟ୍‌କା ଦେଇଛନ୍ତି।

ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି।

୩୧ ବର୍ଷୀୟ ଉନାଦକଟ ପ୍ରଥମ ଓଭରରେ ୩ ଉଇକେଟ ନେଇଥିଲେ। ତିନିଜଣଯାକ ଖେଳାଳି ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଥିଲେ। ଏହି ହାଟ୍ରିକ ପରେ ଦିଲ୍ଲୀ ଟିମ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାକ୍‌ଫୁଟ୍‌କୁ ଚାଲି ଆସିଥିଲା। ଏପରିକି ଦଳ ୫୩ରନ୍‌ରେ ନିଜର ୮ ଉଇକେଟ ହରାଇଥିଲା। ଏହି ସ୍କୋର ପର୍ଯ୍ୟନ୍ତ ଜୟଦେବ ୯ ଓଭର ବୋଲିଂ କରି ସର୍ବାଧିକ ୬ ଉଇକେଟ ନେଇଛନ୍ତି। ବିଶେଷକରି ସେ ରଣଜୀ ଟ୍ରଫି ଇତିହାସରେ ମ୍ୟାଚ୍‌ର ପ୍ରଥମ ଓଭରରେ ହାଟ୍ରିକ ନେଇଥିବା ଏକମାତ୍ର ବୋଲର ପାଲଟିଛନ୍ତି।

୨୦୧୦ ଡିସେମ୍ବର ୧୬ରେ ଟେଷ୍ଟ ଡେବ୍ୟୁ କରିଥିଲେ ଉନାଦକଟ। ହେଲେ ନିକଟରେ ସେ ୧୨ ବର୍ଷର ଅପେକ୍ଷା ପରେ ବାଲାଂଦେଶ ବିପକ୍ଷ ଢ଼ାକା ଟେଷ୍ଟରେ ପ୍ରଥମ ଉଇକେଟ ନେବାରେ ସଫଳ ହୋଇଥିଲେ।

Share