ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍ ବୋଲର୍ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ ବିପକ୍ଷ ମ୍ୟାଚ୍ରେ ନମ୍ବର-୧୧ରେ ବ୍ୟାଟିଂ କରି ସେ ୪୦ ରନ୍ର ଦମଦାର ପାଳି ଖେଳିଛନ୍ତି। ଏହା ସହିତ ଟି-୨୦ କ୍ରିକେଟ ଇତିହାସରେ ୧୧ ନମ୍ବର ବ୍ୟାଟର୍ ଭାବେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ତେବେ ଉନାଦକତଙ୍କ ଏହି ଐତିହାସିକ ପାଳି ସତ୍ତ୍ୱେ ସୌରାଷ୍ଟ୍ର ଦଳ ପରାଜୟରୁ ବର୍ତ୍ତି ପାରିନାହିଁ।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୯୨ ରନ କରିଥିଲା। ଜବାବରେ ୧୯୩ ରନ୍ର ଲକ୍ଷ୍ୟ ପିଛା କରୁଥିବା ସୌରାଷ୍ଟ୍ର ଦଳ ମାତ୍ର ୯୨ ରନ୍ରେ ୯ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଉନାଦକତ। ସେ ଚେତନ ସକାରିଆଙ୍କ ସହ ମିଶି ଦମଦାର ବ୍ୟାଟିଂ କରିଥିଲେ। ଉନାଦକତ ମାତ୍ର ୨୬ଟି ବଲ୍ରୁ ୩ଟି ଚୌକା ଓ ୨ଟି ଛକା ସହ ୪୦ ରନ ସଂଗ୍ରହ କରିଥିଲେ।
ଏହି ପାରି ସହିତ ସେ ଅଷ୍ଟ୍ରେଲିଆର ଡ୍ୟାନି ବ୍ରିଗ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ବ୍ରିଗ୍ସ ୨୦୨୦ରେ ବିଗ ବାଶ ଲିଗ୍ରେ ଆଡିଲେଡ ଷ୍ଟ୍ରାଇକର୍ସ ପକ୍ଷରୁ ଖେଳି ୧୧ ନମ୍ବରରେ ବ୍ୟାଟିଂ କରି ୩୫ ରନ କରିଥିଲେ। ଏବେ ୪୦ ରନ କରି ଉନାଦକତ ଏହି ୬ ବର୍ଷ ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। କେବଳ ବ୍ୟକ୍ତିଗତ ରେକର୍ଡ ନୁହେଁ, ଚେତନ ସକାରିଆଙ୍କ ସହ ମିଶି ଉନାଦକତ ଦଶମ ଉଇକେଟରେ ୬୨ ରନ୍ର ଭାଗୀଦାରି କରିଥିଲେ। ଟି-୨୦ କ୍ରିକେଟ ଇତିହାସରେ ଦଶମ ଉଇକେଟ୍ରେ ଏହା ଯୁଗ୍ମ ଭାବେ ସର୍ବାଧିକ ଭାଗୀଦାରି।
ଏହା ପୂର୍ବରୁ ୨୦୨୧ରେ ପାନାମାର ଖେଙ୍ଗର ଅହିର ଓ ନିକୁଞ୍ଜ ଅହିର ଆର୍ଜେଣ୍ଟିନା ବିପକ୍ଷରେ ଦଶମ ଉଇକେଟ୍ ଅପରାଜିତ ୬୨ ରନ୍ରେ ଭାଗୀଦାରି କରିଥିଲେ। ଏବେ ଉନାଦକଟ ଓ ଚେତନ ସକାରିଆ ସେହି ରେକର୍ଡର ସମକକ୍ଷ ହୋଇଛନ୍ତି।
ଜୟଦେବ ଉନାଦକତ ଓ ଚେତନ ସକାରିଆଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ସୌରାଷ୍ଟ୍ର ଦଳ ବିଜୟ ହାସଲ କରିପାରି ନ ଥିଲା। ତାମିଲନାଡୁ ଏହି ମ୍ୟାଚକୁ ୩୮ ରନ୍ରେ ଜିତିଥିଲା। ଦଳ ପରାସ୍ତ ହୋଇଥିଲେ ମଧ୍ୟ ଉନାଦକତଙ୍କଏହି ଐତିହାସିକ ପାଳି ଟି-୨୦ କ୍ରିକେଟ୍ରେ ଦୀର୍ଘଦିନ ମନେ ରହିବ।