୧୨ ବର୍ଷ ହେବ ଶଯ୍ୟାରେ କଟୁଛି ଜୟପ୍ରଦାଙ୍କ ଜୀବନ

ଆଳି,୪ା୧୧(ବନମାଳୀ ସେନାପତି): ଦୀର୍ଘ ୧୨ ବର୍ଷ ହେବ ଝିଅ ରୋଗ ବିଛଣାରେ ପଡ଼ିଥିବା ବେଳେ ଦିନରାତି ଏକ କରି ସେବାରେ ଲାଗିଛି ମା’। ଝିଅର ଅବସ୍ଥାକୁ ଦେଖି ମା’ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବଢ଼ିଲା ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ଏରଡ଼ଙ୍ଗ ପଞ୍ଚାୟତର କୁସୁମୀ ଗ୍ରାମରେ। ଗଁାର ବିକାଶ ପଲାଇଙ୍କ ପରିବାର କହିଲେ ସ୍ତ୍ରୀ ବନମିତ୍ରା, ୨୭ ବର୍ଷର ଝିଅ ଜୟପ୍ରଦା ଓ ୨୧ ବର୍ଷର ପୁଅ ସତ୍ୟଜିତକୁ ନେଇ ତାଙ୍କ ହସଖୁସିର ସଂସାର। ବିକାଶ ରାଜ୍ୟ ବାହାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା। ବଡ଼ ଝିଅ ଜୟପ୍ରଦା ଜନକଲ୍ୟାଣ ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ବାରମ୍ବାର ଦେହ ଖରାପ ହେଉଥିଲା। ୨୦୧୧ରେ ଦେହ ଅତିରିକ୍ତ ଖରାପ ହେବାରୁ ପ୍ରଥମେ ସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦେଖାଇଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଯାଜପୁର ମେଡିକାଲରେ ଦେଖାଇଥିଲେ। ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷା କରିବା ପରେ ଜୟପ୍ରଦାଙ୍କ ଆଣ୍ଠୁରେ ପାଣି ଜମିଥିବା ଜଣାପଡିଥିଲା। ଡାକ୍ତରଖାନାରେ ଆଣ୍ଠୁରୁ ପାଣି କାଢିବା ପରେ ସେଠାରେ ୨୧ ଦିନ ପାଇଁ ପ୍ଲାଷ୍ଟର କରିଦେଇଥିଲେ। ୨୧ଦିନ ପରେ ପ୍ଲାଷ୍ଟର ଖୋଲା ହେବା ପରେ ଆଣ୍ଠୁ ଦରଜ ରହୁଥିଲା। ପରେ ଦରଜ କମିବା ନିମନ୍ତେ ଏକ ପଟି ଦେଇଥିଲେ ବାନ୍ଧିବାକୁ, କିନ୍ତୁ ଜୟପ୍ରଦା ନିରୋଗ ହେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇ ପଡିଲେ। ତାଙ୍କର ହାତ ଗୋଡ଼ ଧୀରେ ଧୀରେ ଅଚଳ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ଜୟପ୍ରଦାଙ୍କୁ ଭଲ କରିବା ନିମନ୍ତେ ପରିବାର ସମସ୍ତ ସଞ୍ଚତ୍ତ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ଅବସ୍ଥା ସୁଧୁରି ନ ଥିଲା। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅଧିକ ଚିକିତ୍ସା କରି ପାରି ନ ଥିଲେ। ସେବାଠାରୁ ଆଜିକୁ ୧୨ବର୍ଷ ହେବ ଜୟପ୍ରଦାଙ୍କ ଆଶ୍ରା ପାଲଟିଛନ୍ତି ମା’ ବନମିତ୍ରା। ଜୟପ୍ରଦା ସମ୍ପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ଗୋଟିଏ ଶଯ୍ୟାରେ ରହୁଥିବା ବେଳେ ଖାଇବା, ଶୋଇବା, ଶୌଚ ହେବା ସବୁ ସେହି ସେଠାରେ ହିଁ କରୁଛନ୍ତି। ଜୟପ୍ରଦାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ଅନେକ ବାର ନିବେଦନ କରିଥିଲେ ମଧ୍ୟ ମାତ୍ର ୫ କେଜି ଚାଉଳ ହିଁ ମିଳୁଛି। ତେଣୁ ରାଜ୍ୟ ସରକାରୀ ଯଦି ଜୟପ୍ରଦାଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ସହଯୋଗର ହାତ ବଢାଇଲେ ସେ ନୂତନ ଜୀବନ ଫେରିପାଆନ୍ତେ ବୋଲି ମା’ ବନମିତ୍ରା କହିଛନ୍ତି।