ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର)ରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଜଣେ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ପୂର୍ବତନ ଭାଜପା ରାଜ୍ୟ ମହିଳା ସଭାନେତ୍ରୀ ଜୟନ୍ତୀ ପଢିଆରିଙ୍କୁ ଚୟନ କରାଯାଇଛି । ମହେଶ ଚନ୍ଦ୍ର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ଖବର ଭଞ୍ଜନଗର ଅଞ୍ଚଳରେ ପହଞ୍ଚିବା ପରେ ତାଙ୍କର ସମର୍ଥକ ମାନେ ଖୁସିବ୍ୟକ୍ତ କରିଛନ୍ତି ।
ଏହାଦ୍ବାରା ଦଳ ସୋରଡ଼ା, ପୋଲସରା ସମେତ ଅନ୍ୟାନ୍ୟ ନିର୍ଵାଚନ ମଣ୍ଡଳୀରେ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ଅପରପକ୍ଷେ ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ତାଲିକାରେ ଭଞ୍ଜନଗର ସାଂଗଠନିକ ଜିଲାରୁ କୌଣସି କର୍ମକର୍ତ୍ତା ନଥିବା ଜଣାପଡିଛି। ଏଥିସହ ଭାଜପା ଘୁମୁସର ଆସିକା ସାଂଗଠନିକ ଜିଲ୍ଲାରୁ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଭାବେ ଶିଶିର କୁମାର ମିଶ୍ର, ଉତ୍ତମ କୁମାର ପାଣିଗ୍ରାହୀ, ଅରୁଣ କୁମାର ପଣ୍ତା ମନୋନୀତ ହୋଇଛନ୍ତି। ସେହିପରି ସୂର୍ଯ୍ୟନାରାୟଣ ଦାସଙ୍କୁ ନିମନ୍ତ୍ରୀତ ସଦସ୍ୟ ଭାବେ ଚୟନ କରାଯାଇଛି । ଭଞ୍ଜନଗର ଭାଜପା ସାଂଗଠନିକ ଜିଲାରୁ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ଭାବେ ମନୋନୀତ ହୋଇଥିବା ଜୟନ୍ତୀ ପଢିଆରି ପୋଲସରା ନିର୍ବାଚନ ମଣ୍ଡଳୀ ବାସିନ୍ଦା । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେ ମନୋନୀତ ହୋଇଥିବା ମହେଶ ଚନ୍ଦ୍ର ମହାନ୍ତି ସୋରଡ଼ା ନିର୍ଵାଚନ ମଣ୍ଡଳୀ ବାସିନ୍ଦା।
ମହେଶ ମହାନ୍ତି ବର୍ତ୍ତମାନ ସ୍ବଚ୍ଛ ଭାରତ ଅଭିଯାନର ରାଜ୍ୟ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି। ଜୟନ୍ତୀ ଦଳର ବହୁ ପଦ ପଦବୀରେ ବହୁ ସମୟ ରହିଛନ୍ତି । ତେଣୁ ଦଳ କ୍ଷମତାକୁ ଫେରିବା ପରେ ଜୟନ୍ତୀଙ୍କୁ ମଧ୍ୟ ଦଳ ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବ ବୋଲି ଆଶା କରାଯାଉଛି । କିଛିଦିନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ନବ ନିଯୁକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

