ଅଜଣା ରୋଗରେ ପୀଡିତ ଜୟଲାଲ, ସରକାରୀ ସହାୟତା ପାଇଁ ନିବେଦନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗଁାର ଜୟଲାଲ ଖର୍ସେଲ (୩୨) ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଧାରକରଜ ସହ ଜମିବାଡି ବନ୍ଧକ ରଖି ସେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହୋଇଥିଲେ ମଧ୍ୟ ରୋଗ ଉପଶମ ହୋଇପାରି ନାହିଁ। ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ସ୍ତ୍ରୀ ଜେମା ଖର୍ସେଲ (୨୭), ଦୁଇପୁଅ ରାଜେନ୍ଦ୍ର (୮) ଓ ଦିଗାମ୍ବର (୫)ଙ୍କୁ ନେଇ ଜୟଲାଲଙ୍କ ପରିବାର। ଜୟଲାଲ ଇଟା ଯୋଡେଇ ମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ୨୦୨୧ ନଭେମ୍ବରରେ ହଠାତ୍‌ ବାମଗୋଡ ବୃଦ୍ଧା ଅଙ୍ଗୁଠିରେ ଘା’ ହୋଇ ବଢିବାରେ ଲାଗିଲା। ପ୍ରଥମେ ସେ ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଲେ। ସୁସ୍ଥ ନ ହେବାରୁ ଖରିଆର ରୋଡ୍‌ ଥମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ବୃଦ୍ଧା ଆଙ୍ଗୁଠିକୁ କାଟିଦେଲା ପରେ ସେ ଠିକ ହୋଇଯାଇଥିଲେ। ପରେ ଏଠାରେ କାମଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ସେ ତାମିଲନାଡୁ ଯାଇ ମିସ୍ତ୍ରି ଭାବରେ କାର୍ଯ୍ୟ କରୁଥିଲେ। ୨୦୨୫ ଡିସେମ୍ବରରେ ପୁଣି ବାମଗୋଡର ଅନ୍ୟ ଏକ ଅଙ୍ଗୁଠିରେ ଘା’ ଆରମ୍ଭ ହେଲା। ଉକ୍ତ ଅଙ୍ଗୁଠିକୁ ଗତ ଏପ୍ରିଲ ୩ରେ ଜିଲା ମୁଖ୍ୟ ଚିକିସତ୍ାଲୟରେ କାଟିଦେଲେ। ଦୁଇ ଅଙ୍ଗୁଠି କାଟିଦେଲା ପରେ ଆଣ୍ଠୁ ପର୍ଯ୍ୟନ୍ତ ଘା ବଢିଯାଇ ଗୋଡ ଅଚଳ ହୋଇଯାଇଛି। ଗୋଡରେ ଇନଫେକ୍ସନ ହୋଇଥିବା ଡାକ୍ତର କହିବାରୁ ସେ ଗୋରସ ହସ୍ପିଟାଲ ନୂଆପଡାରେ ଚିକିତ୍ସିତ ହୋଇଥିଲେ। ସେଠାରେ ଭଲ ନ ହେବାରୁ ଛତିଶଗଡ ରାଜ୍ୟ ମହାସମୁନ୍ଦର ଏକ ଘରୋଇ ହସ୍ପିଟାଲ ରହି ଚିକିତ୍ସିତ ହୋଇଥିଲେ। ବର୍ତ୍ତମାନ ବାମଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯିବାରୁ ସେ ଚଲାବୁଲା କିମ୍ବା କୌଣସି କାମଧନ୍ଦା କରିପାରୁ ନାହାନ୍ତି। ପରିବାରରେ ସେ ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେ ଶଯ୍ୟାଶାୟୀ ହେବା ପରେ ପରିବାର ଚଳିବା କଷ୍ଟକର ହୋଇପଡିଛି। କେବଳ ରାଶନ କାର୍ଡର ୨୦କେଜି ଚାଉଳ ଭରସା। ବିଭିନ୍ନ ମେଡିକାଲରେ ଚିକିତ୍ସା ପାଇଁ ସେ ଜମିବାଡି, ସୁନା ଗହଣା, କଂସା ବାସନ ସବୁ ବନ୍ଧା ପକାଇଛନ୍ତି ା ଏବେ ଓଳିଏ ଖାଇବା ପାଇଁ ଦାନା ଯୋଗାଡ କରିବା କଷ୍ଟକର ହୋଇପଡିଛି। ସ୍ତ୍ରୀ ଜେମା ଦୁଇ ପିଲାକୁ ସମ୍ଭାଳିବା ସହ ସ୍ବାମୀଙ୍କ ସେବା କରିବାରେ ଲାଗିଛନ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବିକଳାଙ୍ଗ ଭତ୍ତା ସହ ଆବଶ୍ୟକ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share