ବିବାହ ପୂର୍ବରୁ ଜୟାଙ୍କ ନିକଟରେ ଏଭଳି ବଡ ସର୍ତ୍ତ ରଖିଥିଲେ ଅମିତାଭ

ବମ୍ବେ: ବଲିଉଡ୍‌ର ସଫଳ ବୈବାହିକ ଜୀବନ ବିତାଇଥିବା ଦମ୍ପତିମାନଙ୍କ ମଧ୍ୟରୁ ମହାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅନ୍ୟତମ। ଏକ ସମୟରେ ଅନେକ ନାୟିକାଙ୍କ ସହ ନାଁ ଯୋଡା ହୋଇଥିଲେ ହେଁ ଅମିତାଭ ଜୟାଙ୍କ ହାତ ସବୁଦିନ ଲାଗି ଧରିଥିଲେ। ହେଲେ ଏହି ବିବାହ ଅଜବ ଘଟଣା ଯୋଗୁ ହୋଇଥିଲା। ଏପରିକି ଅମିତାଭ ତାଙ୍କ ନିକଟରେ ବଡ଼ ସର୍ତ୍ତ ରଖିଥିଲେ। ନିକଟରେ ଜୟା ଏନେଇ ଖୁଲାସା କରିଛନ୍ତି।

ନାତୁଣୀ ନବ୍ୟା ନବେଲୀ ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ୍‌ ଦ ହେଲ୍‌ ନବ୍ୟା’ରେ ଜୟା କହିଛନ୍ତି, କୋଲକାତାରେ ଶୁଟିଂ କରୁଥିବା ବେଳେ ଅମିତାଭ ଛୁଟିରେ ବୁଲି ଯିବାକୁ କହିଥିଲେ। ହେଲେ ଜୟା କହିଥିଲେ ଯଦି ଦୁହିଁଙ୍କର ଫିଲ୍ମ ହିଟ୍‌ ହୋଇଯିବ ତେବେ ତାଙ୍କର ଯିବାରେ ଅସୁବିଧା ନାହିଁ । ଭାଗ୍ୟବଶତଃ ‘ଜଞ୍ଜିର’ ହିଟ୍‌ ହୋଇଥିଲା। ଜୟା ବୁଲି ଯିବା ପାଇଁ ସଜବାଜ ହେବା ବେଳେ ଅମିତାଭ ଗୋଟିଏ ଅସୁବିଧା ହୋଇଥିବା କହିଥିଲେ। ପଚାରିବାରେ ସେ କହିଥିଲେ, ଜୟା ତୁମ ସହ ଛୁଟିରେ ଯିବାକୁ ହେଲେ ଆଗ ବିବାହ କରିବାକୁ ପଡ଼ିବ ବୋଲି ଘରେ କହିଛନ୍ତି। ଏହାଶୁଣି ଜୟା କହିଥିଲେ ଆମେ ଅକ୍ଟୋବରରେ ବିବାହ କରିବାକୁ ଯୋଜନା କରୁଥିଲୁ, ଯଦି କହୁଛ ତେବେ ଜୁନ୍‌ରେ ହିଁ କରିବା। ଏଭଳି ଭାବେ ଛୁଟିରେ ବୁଲି ଯିବା ପୂର୍ବରୁ ଜୟା-ଅମିତାଭ ବିବାହ କରିଥିଲେ।

ତେବେ ବିବାହ ଲାଗି ଗୋଟିଏ ସର୍ତ୍ତ ରଖିଥିଲେ ଅମିତାଭ। ୯-୫ କାମ କରିବା ଭଳି ସ୍ତ୍ରୀ ଲୋଡା ନାହିଁ। କାମ କର ହେଲେ ସବୁଦିନ ନୁହେଁ। କାମ ଭଲ ଲୋକ ସହ କରିବ ବୋଲି ଅମିତାଭ କହିଥିଲେ। ଏଥିରେ ହଁ କହିବା ପରେ ୧୯୭୩ରେ ଦୁହେଁ ବିବାହ କରିଥିଲେ। ୧୯୭୬ରେ ତାଙ୍କର ପୁଅ ଅଭିଷେକ ବଚ୍ଚନ ଜନ୍ମ ହୋଇଥିଲେ।

Share