ପରେଡ ଅଭ୍ୟାସ କରିପାରୁନାହାନ୍ତି ଯବାନ

ଭଞ୍ଜନଗର,୨୯।୬(ଡି.ଏନ୍‌.ଏ.)- ଆଇଆର୍‌ବି ୮ମ ବାଟାଲିୟନ (ସ୍ବତନ୍ତ୍ର)ର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ବର୍ତ୍ତମାନ ଭଞ୍ଜନଗର ନିକଟସ୍ଥ ତନରଡ଼ାରେ ଅସ୍ଥାୟୀ ଭାବେ ଏହା ଚାଲିଛି। ଯବାନମାନେ ପରେଡ଼ ଅଭ୍ୟାସ କରୁଥିବା ଗୋଚର ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବା ପାଇଁ ଶୁକ୍ରବାରଠାରୁ ଗାତ ଖୋଳିଛି। ଫଳରେ ୨ଦିନ ହେଲା ଯବାନ ମାନେ ପରେଡ଼ ଓ ପିଟି ଅଭ୍ୟାସ କରିପାରୁନାହାନ୍ତି।
ପ୍ରକାଶ ଯେ, ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୨୦୧୩ରେ ସ୍ବତନ୍ତ୍ର ଭାବେ ଆଇଆର୍‌ବି ୮ମ ବାଟାଲିୟନ ଗଠନ କରିଥିଲେ। ଫୁଲବାଣୀରେ ପ୍ରଥମେ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିଥିଲା। ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଚିହ୍ନଟ ଜମିକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହା ହୋଇପାରିନଥିଲା। ଏହି ସମୟରେ ଭଞ୍ଜନଗରରେ ଥିବା ସିଆରପିଏଫ୍‌ କ୍ୟାମ୍ପ କନ୍ଧମାଳକୁ ଉଠିଯିବା ପରେ ଆଇଆର୍‌ବି କ୍ୟାମ୍ପ ୨୦୧୭ରେ ଫୁଲବାଣୀରୁ ଭଞ୍ଜନଗର ଉଠି ଆସିଥିଲା। ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ତନରଡ଼ାରେ ଗୃହ ବିଭାଗ ପକ୍ଷରୁ ହୋଇଥିବା କ୍ୟାମ୍ପ ଘରେ ଯବାନ ରହିଥିଲେ। କ୍ୟାମ୍ପକୁ ଲାଗିଥିବା ଗୋଚର ଜମିରେ ପିଟି ଓ ପରେଡ଼ ଅଭ୍ୟାସ ହେଉଥିଲା। ଇତିମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗକୁ ବନୀକରଣ ପାଇଁ କିଛି ଏକର ଜମି ଦିଆଯାଇଥିଲା। ସେଥିରେ ପରେଡ ହେଉଥିବା ଗୋଚର ଜମି ମଧ୍ୟ ଥିଲା। ଜଙ୍ଗଲ ବିଭାଗ ଚାରାରୋପଣ ପାଇଁ ଶୁକ୍ରବାର ସେଠାରେ ଗାତ ଖୋଳିଥିଲା। ଆଇଆର୍‌ବି ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ପରେଡ଼ ଅଞ୍ଚଳ ଛାଡ଼ି ଗଛ ଲଗାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। କଥା ରାଜସ୍ବ ବିଭାଗ ଅଧିକାରୀଙ୍କ ପାଖରେ ପହଞ୍ଚତ୍ଥିଲା। ରାଜସ୍ବ ବିଭାଗର ଜଣେ ଅଧିକାରୀ ପହଞ୍ଚତ୍ ବିବାଦର ସମାଧାନ କରିନପାରି ଫେରି ଯାଇଥିଲେ। ଶନିବାର ଓ ରବିବାର ଯବାନମାନେ ପରେଡ଼ ଓ ପିଟି କରିନାହାନ୍ତି। ସମସ୍ୟା ସମାଧାନ ପାଇଁ ଆଇଆରବି ପକ୍ଷରୁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ନିବେଦନ କରାଯାଇଛି। ଏନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା କହିଛନ୍ତି, ଆଇଆର୍‌ବି ସହ କୌଣସି ବିବାଦ ନାହିଁ। ଯେଉଁଠି ଯବାନମାନେ ପରେଡ଼ କରୁଛନ୍ତି ସେଠି ଗଛ ଲଗାଯାଉନାହିଁ। ଜମିଟି ପଡ଼ିଆ ପଡ଼ିଥିଲା, ତେଣୁ ଚାରାରୋପଣ ପାଇଁ ଯୋଜନା କରାଯାଇଛି। ଡ଼ିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନେଇ ମୋ ପାଖରେ ଖବର ଅଛି, ସୋମବାର ସମସ୍ୟାର ସମାଧାନ କରାଯିବ।