Categories: ଖେଳ

ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍‌: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍‌ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍‌ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍‌।

ଏକ ସମୟରେ ପାକିସ୍ତାନର ସ୍କୋର ୮୫/୨ ଥିଲା। ପଡ଼ିଆରେ ଜାଭେଦ ମିୟାଁଦାଦ ବ୍ୟାଟିଂ କରୁଥିବା ବେଳେ ଭାରତ ପକ୍ଷରୁ ସଚିନ ତେନ୍ଦୁଲକର ବୋଲିଂ କରୁଥିଲେ। ସଚିନଙ୍କ ଗୋଟିଏ ବଲ୍‌କୁ ମିୟାଁଦାଦ ଖେଳିବାକୁ ଚାହିଁଥିଲେ। ହେଲେ ବଲ୍‌ଟି ଉଇକେଟକିପର କିରଣ ମୋରେଙ୍କ ହାତରେ ପଡ଼ିଥିଲା। ସେ ଉଇକେଟ ନେଇ ଅପିଲ୍‌ କରିଥିଲେ। ହେଲେ ଅମ୍ପାୟାର ଏହାକୁ ଖାରଜ କରିଥିଲେ। ଏହା ମିୟାଁଦାଦଙ୍କୁ ଆଘାତ ଦେଇଥିଲା। ମୋରେଙ୍କ ସହ ତାଙ୍କର ବଚସା ହୋଇଥିଲା। ଏନେଇ ସେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଉକ୍ତ ଓଭରରେ ମିୟାଁଦାଦଙ୍କୁ ରନ୍‌ ଆଉଟ୍‌ କରିବା ଲାଗି ଚେଷ୍ଟା କରିଥିଲେ ମୋରେ। ହେଲେ ସେ କ୍ରିଜ୍‌ ଭିତରକୁ ପହଞ୍ଚି ସାରିଥିଲେ।

କୌଣସି ମ୍ୟାଚ୍‌ରେ ବିରୋଧି ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାନ୍ତି ସମସ୍ତେ। ଏହା ସାଧାରଣ ହୋଇଥିଲେ ହେଁ ମିୟାଁଦାଦ ରାଗି ଯାଇଥିଲେ। ଶେଷରେ ସେ ଦୁଇ ହାତରେ ବ୍ୟାଟ୍‌ ଧରି ଡେଇଁବାରେ ଲାଗିଥିଲେ। କଙ୍ଗାରୁ ଅଥବା ମାଙ୍କଡ଼ଙ୍କ ପରି ଡେଇଁ ସେ ମୋରେଙ୍କୁ ଚିଡ଼ାଇବାକୁ ଚାହୁଁଥିଲେ। ହେଲେ ଓଲଟା ତାଙ୍କୁ ନେଇ ସବୁ ମଜା କରିବାରେ ଲାଗିଥିଲେ।

Share