୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’, ଦିବାର’, ‘ହାଥି ମେରେ ସାଥି’ ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରି ବାହା ବାଃ ସାଉଟିଥିଲେ।

ଜାଭେଦଙ୍କ ପ୍ରକୃତ ନାମ ଜାଦୁ। ସେ ଭୋପାଳରେ ନିଜର ପାଠ ପଢ଼ା ସାରିଥିଲେ। ୧୯୬୪ରେ ସେ ବମ୍ବେ ଆସିଥିଲେ। ସେତେବେଳେ ତାଙ୍କ ପକେଟରେ ମାତ୍ର ୨୭ ପଇସା ଥିଲା। କେବଳ ଏତିକି ନୁହେଁ ବମ୍ବେରେ ରହିବା ପାଇଁ ଘର ନ ଥିଲା। ନା ଖାଇବାକୁ ପଇସା ଥିଲା। ଦୁଇ ବର୍ଷ ଯାଏ ତାଙ୍କୁ ଭଲ କାମ ମଧ୍ୟ ମିଳି ନ ଥିଲା। ଫିଲ୍ମରେ କ୍ଲେପର ବୟ ଭାବେ ସେ କାମ ଆରମ୍ଭ କରିଥିଲେ। ପରେ ସଲମାନଙ୍କ ବାପାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ସେମାନେ ଫିଲ୍ମର ସଂଳାପ ଲେଖିବା ଆରମ୍ଭ କରିଥିଲେ। ପରେ ତାଙ୍କ ଜୀବନ ବଦଳିଯାଇଥିଲା।

ପ୍ରଥମେ ହନି ଇରାନୀଙ୍କୁ ଜାଭେଦ ବିବାହ କରିଥିଲେ। ଉଭୟଙ୍କ ଜନ୍ମଦିନ ଗୋଟିଏ ଦିନ ପଡେ। ୧୯୭୨ରେ ପରସ୍ପରକୁ ଭେଟିଥିଲେ ସେମାନେ। ପ୍ରଥମ ଭେଟର କାହାଣୀ କିଛି ଏପରି ଥିଲା। ଏକଦା ଜାଭେଦ ତାସ ଖେଳରେ ହାରୁଥିଲେ। ଏହାଦେଖି ହନି ତାଙ୍କୁ କାର୍ଡ ଦିଅନ୍ତୁ ବୋଲି ଜାଭେଦଙ୍କୁ କହିଥିଲେ। ଯଦି ତାସ୍‌ ଭଲ ଆସେ ତେବେ ତୁମକୁ ବିବାହ କରିବି ବୋଲି ସେ କହିଥିଲେ। ମଜାରେ କଥା କୁହାଯାଇଥିଲେ ହେଁ ତାସ୍‌ ଭଲ ହିଁ ଆସିଥିଲା। ଏହାଦେଖି ଚାଲ ବିବାହ କରିବା ବୋଲି ଜାଭେଦ କହିଥିଲେ। ତେବେ ହନିଙ୍କ ପରେ ସେ ଶବାନା ଆଜମୀଙ୍କୁ ବିବାହ କରିଛନ୍ତି।

Share