Categories: ଜାତୀୟ

ଯବାନଙ୍କୁ ଜାଳିଦେଲେ

ମୁମ୍ବାଇ, ୮ା୨: ଭାରତୀୟ ନୌସେନାର ଜଣେ ଯବାନଙ୍କୁ ମୁମ୍ବାଇର ପାଲଘର ଜିଲାରେ କେତେଜଣ ଦୁର୍ବୃତ୍ତ ଜିଅନ୍ତା ଜାଳିଦେଇଛନ୍ତି। ମୃତକ ହେଲେ ଝାଡଖଣ୍ଡର ସୁରଜ କୁମାର ମିଥିଲେଶ ଦୁବେ। ସେ ତାମିଲନାଡ଼ୁର କୋଏମ୍ବାଟୁରଠାରେ କାର୍ଯ୍ୟରତ ଥିଲେ। ଜାନୁୟାରୀ ୩୦ରେ ସୁୁରଜ ଘରକୁ ଫେରୁଥିବାବେଳେ ଚେନ୍ନାଇ ବିମାନବନ୍ଦରରୁ ୩ ଜଣ ତାଙ୍କୁ ଅପହରଣ କରିନେଇଥିଲେ। ମୁକୁଳାଇବା ପାଇଁ ଅପହରଣକାରୀ ତାଙ୍କ ପରିବାରଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ୫ ଦିନ ପର୍ଯ୍ୟନ୍ତ ସୁରଜଙ୍କୁ ଚେନ୍ନାଇରେ ରଖାଯାଇଥିଲା।
ଦାବି ପୂରଣ ନ ହେବାରୁ ଦୁର୍ବୃତ୍ତମାନେ ଫେବୃୟାରୀ ୫ରେ ତାଙ୍କ ହାତ ଗୋଡ଼ ବାନ୍ଧି ପାଲଘର ଜିଲା ତଳସାରୀ ଅଞ୍ଚଳରେ ଥିବା ଏକ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସୁରଜଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କଠାରୁ ଖବର ପାଇ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ୩ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି।

Share