ଖୋର୍ଦ୍ଧା , ୪।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ପ୍ରିନ୍ସିପଲ ଡ. କବିତା କର ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ନବୋଦୟ ବିଦ୍ୟାଳୟ ସଂଗଠନ ଭୋପାଲ ପ୍ରତିନିଧି ରିପୋର୍ଟ ଆଧାରରେ ନବୋଦୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ନିଲମ୍ବନ କରାଯାଇଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ଉପାଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ କବିତା କରଙ୍କୁ ନିଲମ୍ବନ ପରେ ଭୋପାଳ ୟୁନିଟରେ ଅବସ୍ଥାପିତ କରାଯାଇଛି।
ନବୋଦୟ ବିଦ୍ୟାଳୟରେ ନଭେମ୍ବର ମାସରୁ ଜଣ୍ଡିସ ଆକ୍ରାନ୍ତ ଦେଖା ଦେଇଥିବାବେଳେ ଡିସେମ୍ବର ପହିଲାରେ ଏହାର ସଂଖ୍ୟା ବଢି ଜାନୁଆରୀରେ ଶହେ ଟପିଥିଲା । ରାଜ୍ୟ ସାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୱାଟକୋ ଭୁବନେଶ୍ବର, ଜିଲା ଜନସ୍ବାସ୍ଥ୍ୟ ବିଭାଗ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରିଥିଲେ । ୱେଟକୋ ଔଟରେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ସାସ୍ଥ୍ୟ ବିଭାଗର ରିପୋର୍ଟ ୫ଟି ସାମ୍ପୁଲରେ ଜଳ ସଂକ୍ରମିତ ହୋଇଥିବା ଦର୍ଶାଯାଇଥିଲା । ରାଜ୍ୟ ସାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍କୁଲ ରୋଷେଇ ଘରେ ପାଇପ ଫାଟି ପାଣି ଦୂଷିତ ହୋଇ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିବା ସହ ବିଶୁଦ୍ଧ ପାଣି ଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ।
ଗତ ୮ ତାରିଖରେ ନବୋଦୟ ବିଦ୍ୟାଳୟ ସମିତି କେନ୍ଦ୍ରୀୟ କମିଶନର ରାଜେଶ ଲେଖାନୀ ଏବଂ ଭୋପାଳ ୟୁନିଟର ଡେପୁଟି କମିଶନର ଆଉ କେ ଶର୍ମା, ଆସିଣ୍ଟଟାଣ୍ଡ କମିଶନର ଜରୀନା କ୍ୟୁରେଶି ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ । କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟକୁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇ କ୍ୟାମ୍ପସ ସ୍ବଚ୍ଛ କରାଯାଇଥିଲା। କମିଶନର ନିର୍ଦ୍ଦେଶରେ ଗତ ୧୨ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ ପାଣି ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ବିଦ୍ୟାଳୟ ସ୍ବାଭାବିକ ହୋଇଥିଲା।

