ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଲୋକେ ଆକ୍ରାନ୍ତ ହେଉଛନ୍ତି। ଆଜିକୁ କିଛିଦିନ ପୂର୍ବେ ଗ୍ରାମର କିଛି ଶିଶୁ ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିଲେ। ସୋମବାର ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ଜିଲୁଣ୍ଡୀ ପଞ୍ଚାୟତକୁ ଅଭିଯୋଗ ଶୁଣାଣୀ କୁ ଯାଉଥିଲେ। ଜଣ୍ଡିସ ଖବର ସଂପର୍କରେ ଜାଣିବା ପରେ ଆକ୍ରାନ୍ତ ଶିଶୁ ମାନଙ୍କ ଘରେ ପହଞ୍ଚି ସୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଅସୁସ୍ଥ ଶିଶୁମାନେ ସୁସ୍ଥ ହୋଇଯାଇଥିବା ଜଣାପଡ଼ିଛି। ତଥାପି ଗ୍ରାମର ଅନ୍ୟ କାହାକୁ ଯେଭଳି ନହେବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଅଧିକାରିଣୀ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡ଼ିଓ ଏବଂ ତହସିଲଦାରଙ୍କ ଗସ୍ତ ସମୟରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଦୀନବନ୍ଧୁ ପଟେଲ, ବ୍ଲକ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ବଡକୋଦଣ୍ଡା ନଦୀରୁ ପାଇପ ଯୋଗେ ପାଣି ଆସୁଛି। ଏଥିରେ ତ୍ରୁଟି ଯୋଗୁ ଉକ୍ତ ପାଣି ପିଇ ଲୋକେ ଅସୁସ୍ଥ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ପାଣି କିଛି ଦୂଷିତ ନାହିଁ। ଅନ୍ୟ କେଉଁଠୁ ଉକ୍ତ ଶିଶୁମାନେ ଆକ୍ରାନ୍ତ ହୋଇ ଆସିଛନ୍ତି। ତଥାପି ପରିସ୍ଥିତି ପ୍ରତି ନଜର ରଖାଯାଇଛି ବୋଲି ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share