Categories: ଖେଳ

ଇଂଲଣ୍ଡ ଖେଳାଳିଙ୍କୁ ଟ୍ରୋଲ୍‌ କଲେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବୋଲର୍‌ଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଫଳସ୍ବରୂପ ଭାରତ ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା। ତେବେ ଏହି ବିଜୟ ପଛରେ ମୁଖ୍ୟ ପୁରୋଧା ପାଲଟିଥିଲେ ଷ୍ଟାର ପେସର୍‌ ଜସପ୍ରିତ ବୁମ୍‌ରା। ସେ ମ୍ୟାଚ୍‌ରେ ୬ ଉଇକେଟ ନେଇ ଇଂଲଣ୍ଡର ମେରୁଦଣ୍ଡ ଦୋହଲାଇ ଦେଇଥିଲେ।

ମ୍ୟାଚ୍‌ ପରେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ ଇଂଲଣ୍ଡ ଖେଳାଳିଙ୍କୁ ଟ୍ରୋଲ କରିଛନ୍ତି। ପେସାରେ ଉଦ୍‌ଘୋଷକ(ଆଙ୍କର) ଥିବା ସଞ୍ଜନା ଆଙ୍କରିଂ କରି କହିଥିଲେ, ଏବେ ମୁଁ ଫୁଡ୍‌ ଏରିଆରେ ଅଛି। ଏଠାରେ ଇଂଲଣ୍ଡ ପ୍ରଶଂସକଙ୍କ ବହୁତ ଭିଡ଼। କାରଣ ସେମାନେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଚାହୁଁନାହାନ୍ତି। ଏଠାରେ ବହୁତ ଦୋକାନ ଅଛି, ଯେଉଁଠି ହଟ୍‌ ଡଗ୍‌ ଏବଂ ମ୍ୟାଚ୍‌ ଅନୁସାରେ ଖାଦ୍ୟ ମିଳୁଛି। ଏବେ ଯେଉଁ ଦୋକାନ ପାଖରେ ଛିଡ଼ା ହୋଇଛି, ସେଠାକୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଆସିବେ ନାହିଁ। କାରଣ ଏହି ଦୋକାନର ନାଁ ‘କ୍ରିସ୍ପି ଡକ୍‌’। ଆମ ପାଖରେ ମଧ୍ୟ ଗୋଟିଏ ‘ଡକ୍‌ ରାପ’ ନାମକ ଖାଦ୍ୟ ରହିଛି। ମଇଦାନ ବାହାରେ ଏହି ‘ଡକ୍‌’ କେଉଁଭଳି ଲାଗେ ତାକୁ ଦେଖିବାକୁ ଚାହୁଁଛୁ, କାରଣ ମଇଦାନ ଭିତରର ‘ଡକ୍‌’ ବହୁତ ଭଲ ଥିଲା ବୋଲି ସେ କହିଛନ୍ତି।

କହିରଖୁଛୁ, ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଟିମ୍‌। ଦଳ ମାତ୍ର ୧୧୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ବୁମ୍‌ରା ମ୍ୟାଚ୍‌ରେ ୭.୨ ଓଭର ବୋଲିଂ କରି ୧୯ ରନ ଦେଇ ୬ ପ୍ରମୁଖ ଉଇକେଟ ହାତେଇ ଥିଲେ। ପରେ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା।

Share