Categories: ଖେଳ

ବିବାହ ପରେ ଖେଳ ଶେଷ ବୋଲି କହୁଥିଲେ ଲୋକେ, ଟେଣ୍ଟ ବ୍ରିଜ୍‌ରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କ୍ରିକେଟର

ନଟିଂହାମ,୮।୮: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିଥିଲେ। ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ସେ ଜୀବନସାଥୀ କରିଥିଲେ। ବିବାହ ପୂର୍ବରୁ ଏବଂ ପରେ ଅନେକ ସପ୍ତାହ ଧରି ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଥିଲେ। ହେଲେ ଜୁନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଟିମ୍‌ ଇଣ୍ଡିଆକୁ ଫେରିଥିଲେ। ହେଲେ ଏହି ମ୍ୟାଚ୍‌ରେ ସେ କୌଣସି ଉଇକେଟ ପାଇ ନ ଥିଲେ, ଯାହାକୁ ନେଇ ତାଙ୍କର ସମାଲୋଚନା କରାଯାଉଥିଲା। ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ କଟାକ୍ଷ କରାଯାଉଥିଲା। କେହି କେହି ବିବାହ ପରେ ବୁମ୍‌ରାଙ୍କ ଖେଳ ସମାପ୍ତ ହୋଇଯାଇଛି ବୋଲି କହିଥିଲେ। ହେଲେ ଏବେ ବୁମ୍‌ରା ନିଜ ପ୍ରଦର୍ଶନ ସହ ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବୁମ୍‌ରା ଘାତକ ବୋଲିଂ କରିଛନ୍ତି। ସେ ଉଭୟ ଇନିଂସରେ ମୋଟ ୯ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ୪୬ ରନ୍‌ ଦେଇ ୪ ଉଇକେଟ ସେ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୬୪ ରନ୍‌ ଦେଇ ୫ ଉଇକେଟ ନେଇଛନ୍ତି। ଉଭୟ ଇନିଂସରେ ପ୍ରଭାବୀ ବୋଲିଂ କରି ଇଂଲଣ୍ଡକୁ ଅଲଆଉଟ୍‌ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପୂର୍ବରୁ ଡିସେମ୍ବର ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ନରେ ଖେଳାଯାଇଥିବା ଟେଷ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୬ଟି ଉଇକେଟ ନେଇଥିଲେ।

୨୦୧୮ରେ ଟେଷ୍ଟ ଡେବ୍ୟୁ କରିଥିଲେ ବୁମ୍‌ରା। ସେ ଅନେକ ଥର ଭାରତକୁ କଠିନ ପରିସ୍ଥିତିରୁ ବାହାର କରିଛନ୍ତି। କମ୍‌ ସମୟର ଟେଷ୍ଟ କ୍ୟାରିୟରରେ ସେ ୬ଷ୍ଠଥର ପାଇଁ ୫ କିମ୍ବା ଅଧିକ ଉଇକେଟ ନେଇ ଚମତ୍କାର କରିଛନ୍ତି।

Share