Categories: ଖେଳ

ବୁମରା, ଶାର୍ଦ୍ଦୁଳଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ

ଦୁବାଇ,୮।୯: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ୧୦ମ ସ୍ଥାନରେ ଥିବା ବୁମରା ଏବେ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନ ହାସଲ କରିଛନ୍ତି। ଭାରତୀୟ ଦଳ ଓଭାଲ ଟେଷ୍ଟ ବିଜୟ ପଛରେ ବୁମରାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନ୍ତିମ ଦିନ ଜବରଦସ୍ତ ବୋଲିଂ କରି ଓଲି ପୋପ ଓ ଜନ୍ନି ବେଆରଷ୍ଟୋଙ୍କୁ କ୍ଲିନ ବୋଲ୍ଡ କରିଥିଲେ।

ଅନ୍ୟପକ୍ଷରେ ଅଲରାଉଣ୍ଡର ଶାର୍ଦ୍ଦୁଳ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୨୦ଟି ସ୍ଥାନ ଉପରକୁ ଉଠିଛନ୍ତି। ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପୂର୍ବରୁ ଜଣେ ବ୍ୟାଟ୍ସମ୍ୟାନ ଭାବେ ସେ ୭୯ତମ ର଼୍ୟାଙ୍କରେ ଥିଲେ। ଆଉ ବୋଲରଙ୍କ ତାଲିକାରେ ୭ ସ୍ଥାନ ଉପରକୁ ଉଠି ୪୯ତମ ସ୍ଥାନ ଅଧିକାର କରିଛନ୍ତି। ପୂରା ମ୍ୟାଚ୍‌ରେ ୪ ଉଇକେଟ ହାତେଇଥିଲେ ଶାର୍ଦ୍ଦୁଳ।

ଅଷ୍ଟ୍ରେଲିଆର ପାଟ କୁମିନ୍ସଙ୍କ ନେତୃତ୍ୱାଧୀନ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ବରିଷ୍ଠ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବୁମରାଙ୍କ ବ୍ୟତୀତ ଟପ୍‌ ୧୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୬ଷ୍ଠ ସ୍ଥାନରେ ରହିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୩୦ ପଏଣ୍ଟର ବ୍ୟବଧାନର ରହିଛି।

Share