Categories: ଖେଳ

ଲାରାଙ୍କୁ ପଛରେ ପକାଇଲେ ହୋଲ୍ଡର

ସାଉଥାମ୍ପଟନ, ୧୩।୭- କରୋନା ଲାଗି ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଘରୋଇ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ୪ ଉଇକେଟ୍‌ରେ ପରାସ୍ତ କରି ଓ୍ବେଷ୍ଟଇଣ୍ଡିଜ ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୦୦ ରନର ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟେଷ୍ଟ କ୍ରିକେଟ୍‌ରେ ଓ୍ବେଷ୍ଟଇଣ୍ଡିଜ ପାଇଁ ଏହା ୬୧ତମ ଘଟଣା ଥିଲା ଯେଉଁଥିରେ ଦଳକୁ ବିଜୟ ପାଇଁ ୨୦୦ କିମ୍ବା ଏହାଠାରୁ କମ୍‌ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ମୋଟ୍‌ ୬୧ଥର ମଧ୍ୟରୁ ଓ୍ବେଷ୍ଟଇଣ୍ଡିଜ ୫୫ ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୬ଟି ଡ୍ର’ରେ ସମାପ୍ତ ହୋଇଥିଲା। ସେହିଭଳି ଓ୍ବେଷ୍ଟଇଣ୍ଡିଜ ୨୦ ବର୍ଷ ପରେ ପ୍ରଥମଥର ଲାଗି କୌଣସି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି। ଶେଷଥର ପାଇଁ କାରବୀୟାନ ଦଳ ୨୦୦୦ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତିଥିଲା। ଅପରପକ୍ଷରେ ଅଧିନାୟକ ଭାବେ ଜାସନ ହୋଲ୍ଡର ୧୧ତମ ଟେଷ୍ଟ ମ୍ୟାଚ୍‌ ବିଜୟ ସ୍ବାଦ ଚାଖିଛନ୍ତି। ସେ ୩୩ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇ ଏହି ସଫଳତା ପାଇଛନ୍ତି। ଏହିକ୍ରମରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି। ଲାରା ଓ୍ବେଷ୍ଟଇଣ୍ଡିଜ ପାଇଁ ୪୭ ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇଥିବାବେଳେ ୧୦ଟିରେ ବିଜୟୀ ହୋଇଥିଲେ। ହୋଲ୍ଡର ବର୍ତ୍ତମାନ ରିଚି ରିଚାର୍ଡସନଙ୍କ ସମକକ୍ଷ ହୋଇଛନ୍ତି। ରିଚାର୍ଡସନଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ୧୧ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।

Share