ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିରେ ସନ୍ତୋଷୀ ନାୟକ ନିଜ ପରିବାର ସହ ରହୁଛନ୍ତି । ପରିବାର କହିଲେ ମା ଓ ଝିଅ । ବାସ କହିଲେ ସାହି ଶେଷ ମୁଣ୍ଡରେ ଛଣ ଛପର ଘର । ଏଭଳି ପରିପ୍ରେକ୍ଷୀରେ ସନ୍ତୋଷୀଙ୍କୁ ମିଳିନି ଆବାସ ଗୃହ। ଗତ କିଛି ଦିନ ତଳେ ବର୍ଷା ହେଲେ ପାଣି ଗଲୁଥିବା ଖବର ପ୍ରକାଶ ପାଇବା ପରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଆରଆଇଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ସହ ସନ୍ତୋଷୀଙ୍କୁ ଏକ ଜରିପାଲ ପ୍ରଦାନ କରିଥିଲେ । ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଓ ପବନ ଯୋଗୁ ଉକ୍ତ ଜରିପାଲ ଉଡି ଯାଇଥିବା ଜଣାପଡିଛି । ଦିନ ତମାମ ତୁହାକୁ ତୁହା ପବନ ଓ ବର୍ଷା ଯୋଗୁ ଘରେ ଆଣ୍ଠୁଏ ପାଣି। ଏଥିପାଇଁ ସଙ୍କଟରେ ମା ଏବଂ ଝିଅ। ସନ୍ତୋଷୀଙ୍କୁ ଭଗବାନ ଭରଷା। ବର୍ତ୍ତମାନ ସାହିର ସର୍ମ୍ପକୀୟଙ୍କ ଘରେ ଆଶ୍ରୟ ନେଉଛନ୍ତି ସନ୍ତୋଷୀ ଓ ତାଙ୍କ ଝିଅ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ସାହି ବାସିନ୍ଦା ଦାବି କରିଛନ୍ତି।


