ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଗା

ଟୋକିଓ,୩।୯: ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶାସକ ଦଳର ନେତୃତ୍ୱ ନେବାକୁ ସେ ଆଉ ପ୍ରାର୍ଥୀପତ୍ର ଉପସ୍ଥାପନ କରିବେ ନାହିଁ। ସେପ୍ଟେମ୍ବର ଶେଷ ସୁଦ୍ଧା ସେ ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସୁଗା ତାଙ୍କ ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)ର କାର୍ଯ୍ୟ ନିର୍ବାହୀମାନଙ୍କୁ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଦଳର ନେତୃତ୍ୱ ନେବାକୁ ତାଙ୍କ ପ୍ରାର୍ଥୀପତ୍ର ଉପସ୍ଥାପନ କରିବେ ନାହିଁ। ଫଳରେ ସେପ୍ଟେମ୍ବର ୨୯ରେ ନିର୍ବାଚନ ହେବ। ଏହାର ଅର୍ଥ ହେଉଛି ଜାପାନ ଏକ ନୂତନ ନେତା ପାଇବ, ଯିଏକି ଏଲ୍‌ଡିପିର ମୁଖ୍ୟ ଭାବରେ ନିର୍ବାଚିତ ହେବେ। ଯଦି ସଂସଦରେ ଦଳର ସଂଖ୍ୟାଗରିଷ୍ଠତା ଥାଏ ତେବେ ଏହାର ନେତା ଜାପାନର ନେତା ଭାବରେ ର୍ନିବାଚିତ ହେବେ। ଉଲ୍ଲେଖନୀୟ କଥା ହେଉଛି, କୋଭିଡ-୧୯ ବିଶ୍ୱ ମହାମାରୀର ମୁକାବିଲା ଏବଂ ସାଧାରଣ ଜନତାଙ୍କ ସମସ୍ୟା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଦେଶରେ ସୁଗାଙ୍କୁ ସମାଲୋଚନା କରାଯାଇଛି। ଏହି ସମାଲୋଚନା ଏବଂ ତାଙ୍କ ସମର୍ଥନ ମୂଲ୍ୟାୟନରେ ହ୍ରାସ ହେତୁ ସୁଗା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି।

Share