ଜାପାନରେ ଲୋକପ୍ରିୟ ହେଉଛି ଭାରତୀୟ ଭାଷା, ୧୫୦୦୦ ଛାତ୍ର ଶିଖୁଛନ୍ତି ହିନ୍ଦୀ

ଟୋକିଓ,୨୮ା୫: ଜାପାନରେ ଭାରତୀୟ ଭାଷା ତଥା ହିନ୍ଦୀ ଭାଷା ଅଧିକ ଲୋକପ୍ରିୟ ହେଉଛି। ବିଶେଷକରି ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ବିଦେଶୀ ଭାଷା ଭାବରେ ଅଧିକ ଲୋକପ୍ରିୟ। ଏହି ଭାଷା ଶିଖୁଥିବା ଜାପାନୀ ଛାତ୍ରମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ଗ୍ଲୋବାଲ ସ୍କୁଲ ଅଫ୍‌ ଫାଉଣ୍ଡେଶନର ସହ-ପ୍ରତିଷ୍ଠାତା ଅତୁଲ ଟେମୁର୍ନିକର କହିଛନ୍ତି, ଟୋକିଓର ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସ୍କୁଲ (ଜିଆଇଏସ) କ୍ୟାମ୍ପସରେ ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ସର୍ବାଧିକ ପସନ୍ଦ ବିଦେଶୀ ଭାଷା। ଟେମୁର୍ନିକରଙ୍କ ଅନୁଯାୟୀ, ଜାପାନୀ ଛାତ୍ରମାନେ ନିଜ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାବେଳେ ଏସୀୟ ଏବଂ ପାଶ୍ଚାତ୍ୟ ସଂସ୍କୃତି ବିଷୟରେ ଜାଣିବାକୁ ଚାହାନ୍ତି। ଜିଆଇଆଇଏସ୍‌ର ୧୬ ନଂ କ୍ୟାମ୍ପସରେ ୧୫୦୦୦ ଛାତ୍ର ହିନ୍ଦୀ ଭାଷା ଶିଖୁଛନ୍ତି।

ସୂଚନାଯୋଗ୍ୟ, ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତ ସମୟରେ ଟୋକିଓରେ ଜଣେ ଜାପାନୀ ଛାତ୍ର ହିନ୍ଦୀ ଭାଷା କହି ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଦେଶରେ ବହୁତ ହିନ୍ଦୀ ଶିକ୍ଷାର୍ଥୀ ଅଛନ୍ତି।

ନିକଟରେ ଜାପାନର ରାଜଧାନୀ ଟୋକିଓରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଜାପାନର ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ୟୋସିହିଡେ ସୁଗା, ସିଞ୍ଜୋ ଆବେ ଏବଂ ୟୋସିରୋ ମୋରିଙ୍କ ସହ ମୋଦି ବୈଠକ କରିଥିଲେ। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ସାକ୍ଷାତ ସେମାନଙ୍କର ଶୁଭେଚ୍ଛା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରୁଛି।

ୟୋସିରୋ ମୋରି ଜାପାନ-ଇଣ୍ଡିଆ ଆସୋସିଏଶନ (JIA)ର ବର୍ତ୍ତମାନର ସଭାପତି ଥିବାବେଳେ ସିଞ୍ଜୋ ଆବେ ଖୁବଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ। ୧୯୦୩ରେ ପ୍ରତିଷ୍ଠିତ ଜେଆଇଏ ହେଉଛି ଜାପାନର ସର୍ବ ପୁରାତନ ବନ୍ଧୁତା ସଙ୍ଗଠନ। ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବାରେ ମୋରିଙ୍କ ଅଧୀନରେ ଥିବା ଜେଆଇର ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଏପ୍ରିଲ ୧୯୫୨ରେ ଭାରତ ଏବଂ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ଏହି ଦ୍ୱିପାକ୍ଷିକ ସମ୍ପର୍କର ୭୦ ତମ ବର୍ଷ। ଏକବିଂଶ ଶତାବ୍ଦୀରେ ଏକ ବିଶ୍ୱସ୍ତରୀୟ ସହଭାଗିତା ପ୍ରତିଷ୍ଠା ପାଇଁ ଭାରତ ଏବଂ ଜାପାନ ପାରସ୍ପରିକ ବୁଝାମଣା ଦେଖାଇ ସାରିଛନ୍ତି। ସେହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ। ଏକବିଂଶ ଶତାବ୍ଦୀରେ ଇଣ୍ଡୋ-ଜାପାନ ଗ୍ଲୋବାଲ ପାର୍ଟନରଶିପ୍‌ ଏକ ସଙ୍କେତ ଥିଲା ଯେ, ଜାପାନ ଭାରତ ସହିତ ବିଶ୍ୱର ଭିନ୍ନ ମତ ରଖିଛି।

Share