ପ୍ରଚାର ସମୟରେ ଜୀବନ ଯାଇଥିବା ଶିଞ୍ଜୋଙ୍କ ପାର୍ଟି ହାତେଇଲା ବିଜୟ

ଟୋକିଓ, ୧୧ା୭: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟାର ୨ଦିନ ପରେ ଉଚ୍ଚସଦନରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି(ଏଲ୍‌ଡିପି)କୁ ଏକ ବଡ଼ ସଫଳତା ମିଳିଛି। ଲୋକପ୍ରିୟ ନେତାଙ୍କ ଆବେଙ୍କ ମୃତ୍ୟୁ ପରେ ଶାସକ ଦଳକୁ ସହାନୁଭୂତିର ଭୋଟ ମଧ୍ୟ ମିଳିଛି। ଫଳାଫଳ ଅନୁସାରେ ଏଲ୍‌ଡିପି ଏହି ନିର୍ବାଚନରେ ୬୩ ଆସନ ପାଇଛି। ଅର୍ଥାତ ୨୪୮ ସଦସ୍ୟ ବିଶିଷ୍ଟ ଉଚ୍ଚସଦନରେ ଅର୍ଦ୍ଧାଧିକ ଆସନ ଆବେଙ୍କ ପାର୍ଟିକୁ ଯାଇଛି। ସେହିପରି ଏଲ୍‌ଡିପି ସହ ମେଣ୍ଟ କରିଥିବା କୋମିଟୋ ଦଳ ୧୩ ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ମେଣ୍ଟ ସରକାର ନିକଟରେ ଏବେ ୧୭୯ ଆସନ ରହିଛି। ୨୦୧୩ ପରଠାରୁ ଏଲ୍‌ଡିପିର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହ ବିଜୟ ପରେ କିଶିଦାଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ପଡ଼ିବ ନାହିଁ ଏବଂ ସେ ସ୍ବାଧୀନ ଭାବେ ନିଜ ନୀତି କାର୍ଯ୍ୟକାରୀ କରାଇପାରିବେ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆବେ ଏକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଥିଲେ।

Share