୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ ଦିନର ଛୁଟି ମିଳିବା ସତ୍ତ୍ୱେ ବି ସେମାନେ ଖୁସି ନାହାନ୍ତି। ସୂଚନାଯୋଗ୍ୟ, ଜାପାନର ରାଷ୍ଟ୍ରୀୟ ଉତ୍ସବ ପାଇଁ କର୍ମଚାରୀଙ୍କୁ ୧୦ ଦିନର ଛୁଟି ମିଳିଥାଏ। ହେଲେ ସେଠାକାର କିଛି ଲୋକ ଏଥିରେ ଖୁସି ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ଜାପାନରେ ମେ ୧ରୁ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏଠାରେ ଏକ ପରମ୍ପରା ରହିଛି, ଯାହା ଯୁଗ ଯୁଗ ସହ ଜଡ଼ିତ ହୋଇ ରହି ଆସିଛି। ଏଠାରେ ଆରମ୍ଭ ହୋଇଥିବା ନୂଆ ଯୁଗର ନାମ ହେଉଛି ରିଭା। ଜାପାନର ରାଜା ଯେତେବେଳେ ନିଜ ରାଜଗାଦି ଛାଡିଥାନ୍ତି, ସେତେବେଳେ ଏକ ଯୁଗର ଅନ୍ତ ହୋଇଥାଏ। ଏଥିସହ ଯେଉଁ ନୂଆ ବ୍ୟକ୍ତି ରାଜା ହୋଇଥାନ୍ତି, ସେ ରାଜଗାଦି ସମ୍ଭାଳିବା ପରେ ଏକ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦୀର୍ଘ ୩୦ ବର୍ଷ ଧରି ଶାସନ କରୁଥିବା ସମ୍ରାଟ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗ କରିଛନ୍ତି। ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜା ଭାବେ ଅଭିଷିକ୍ତ କରାଯାଇଛି। ତେବେ ଏହି ଖୁସିରେ ଜାପାନରେ ଗୋଲଡେନ୍‌ ଓ୍ବିକ୍‌ ପାଳନ କରାଯିବା ସହ ୧୦ ଦିନର ଛୁଟି ଘୋଷଣା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୭ରୁ ମେ ୬ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା କରାଯାଇଛି। ତେବେ ଏହି ଛୁଟିରେ କେତେକ କର୍ମଚାରୀ ଖୁସି ଥିବା ବେଳେ ଆଉ କେତେକେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଘରେ କାମ କରୁଥିବା ମହିଳା ଓ ଅବସରପ୍ରାପ୍ତ ବ୍ୟକ୍ତି ଏହି ଛୁଟିରେ ଖୁସି ନଥିବା ସଂଖ୍ୟାରେ ଅଧିକ। କାରଣ ସାଧାରଣ ଲୋକଙ୍କ କହିବା ଅନୁସାରେ ଏହି ଘୋଷଣା ଯୋଗୁ କେବଳ ଧନୀ ବ୍ୟକ୍ତିମାନେ ଲାଭବାନ ହୋଇଥାନ୍ତି। କିନ୍ତୁ ତଳିଆ କର୍ମଚାରୀଙ୍କୁ ଏହି ୧୦ ଦିନ ଭିତରେ ଓଭର ଟାଇମ କାମ କରିବାକୁ ପଡ଼ିଥାଏ। ଏଥିସହ ଏହି ସମୟରେ ଯାତ୍ରା କରିବା ମହଙ୍ଗା ହେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ବଢ଼ିଥାଏ। ସେହିପରି ବ୍ୟାଙ୍କ ଓ ଚାଇଲ୍ଡ କେୟାର ସେଣ୍ଟର ବନ୍ଦ ହେଉଥିବାରୁ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Share