ଜାପାନ ମର୍ମାହତ, ବିଶ୍ୱ ସ୍ତବ୍ଧ

ଟୋକିଓ,୯।୭: ବିଶ୍ୱର ସର୍ବାଧିକ ସୁରକ୍ଷିତ ଦେଶ ଜାପାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜାପାନବାସୀ ନିଜ ପ୍ରିୟ ନେତାଙ୍କୁ ହରାଇ ମର୍ମାହତ ହୋଇଯାଇଛନ୍ତି। ଏହାକୁ ବିଶ୍ୱ ସମୁଦାୟ କଡ଼ା ନିନ୍ଦା କରିଛି। ହତ୍ୟା ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବହୁଳ ପ୍ରସାରିତ ହୋଇଥିବାବେଳେ ଫେସ୍‌ବୁକ୍‌ ଓ ଟୁଇଟର ଏହାକୁ ହଟାଇଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରୁ ମଧ୍ୟ ବିଚଳିତ କରିଦେବା ଭଳି ଏହି ଦୃଶ୍ୟକୁ ବାଦ୍‌ ଦିଆଯାଇଥିବା ମେଟା ପକ୍ଷରୁ କୁହାଯାଇଛି।
ଏହି ଆକ୍ରମଣକୁ ଆତଙ୍କବାଦୀଙ୍କ କାର୍ଯ୍ୟ ଭାବେ ଅଭିହିତ କରିଥିବାବେଳେ ସ୍ପେନ୍‌ ଏକ ଭୀରୁ ପଦକ୍ଷେପ ବୋଲି କହିଛି। ତୁର୍କୀରୁ ନେଇ ସିଙ୍ଗାପୁର ପର୍ଯ୍ୟନ୍ତ ନେତାମାନେ ଏହି ଗୁଳିକାଣ୍ଡକୁ ନିନ୍ଦା କରିଛନ୍ତି। ବ୍ରିଟେନର କାମଚଳା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି, ଶିଞ୍ଜୋ ଆବେ ଜଣେ ବିଶ୍ୱ ନେତା ଥିଲେ। ତାଙ୍କ ନେତୃତ୍ୱକୁ ସମସ୍ତେ ମନେରଖିବେ। ଏହି ଅନ୍ଧକାର ସମୟରେ ଆବେଙ୍କ ପରିବାର ଓ ଜାପାନବାସୀଙ୍କ ସହ ବ୍ରିଟେନ ଛିଡ଼ା ହୋଇଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାପାନ ଆତଙ୍କବାଦର ଶିକାର ହୋଇ ଏହାର ମହାନ ନେତାଙ୍କୁ ହରାଇଛି। ଆମେରିକା ଆବେଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Share