Categories: ଜାତୀୟ

ଲାଲୁଙ୍କ ପରିବାରରେ ଜନ୍ମାଷ୍ଟମୀ ବିବାଦ, ପୋଷ୍ଟରରେ ଅଛନ୍ତି କୃଷ୍ଣ ନାହାନ୍ତି ଅର୍ଜୁନ…

ପାଟନା,୩୦।୮: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜନ୍ମାଷ୍ଟମୀ ବିବାଦ ଦେଖାଦେଇଛି। ଜନ୍ମାଷ୍ଟମୀ ଅବସରେ ପାଟନା ସହରରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲାଲୁଙ୍କ ସହିତ ରାବ୍ରି ଦେବୀଙ୍କ ଫଟୋ ରହିଛି। ସେହିପରି ତେଜପ୍ରତାପ ଯାଦବଙ୍କ ଫଟୋ ବି ରହିଛି। ତେବେ ତେଜସ୍ବୀ ଯାଦବଙ୍କ ଫଟୋ ନାହିଁ। ତେଜପ୍ରତାପ ସବୁବେଳେ ନିଜକୁ କୃଷ୍ଣ କହୁଥିବାବେଳେ ତେଜସ୍ବୀଙ୍କୁ ଅର୍ଜୁନ ବୋଲି କହିଥାନ୍ତି। ମାତ୍ର ପୋଷ୍ଟରରେ କୃଷ୍ଣ ଥିବାବେଳେ ଅର୍ଜୁନଙ୍କର ଫଟୋ ନାହିଁ। ପୋଷ୍ଟର ତେଜପ୍ରତାପଙ୍କ ସମର୍ଥକଙ୍କ ଦ୍ୱାରା ଲଗାଯାଇଛି।

ତେବେ ସୋସିଆଲ ମିଡ଼ିଆରେ ତେଜପ୍ରତାପଙ୍କ ଟୁଇଟର ହ୍ୟାଣ୍ଡେଲରେ ଜାରି ହୋଇଥିବା ପୋଷ୍ଟରରେ ତେଜସ୍ବୀଙ୍କ ଫଟୋ ରହିଛି। ଦୁଇ ଭାଇଙ୍କ ମଧ୍ୟରେ ଏଭଳି ପୋଷ୍ଟର ଓ୍ବାର ଦୀର୍ଘ ଦିନ ହେଲା ଜାରି ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସହିତ ଖୋଦ୍‌ ଆର୍‌ଜେଡିରେ ଚର୍ଚ୍ଚା ଜୋର୍‌ ଧରିଛି।

Share