Categories: ଜାତୀୟ

ଜନ ସୁରାଜ ପଦଯାତ୍ରା ଆରମ୍ଭ କଲେ ପିକେ…

ପାଟନା,୨।୧୦ : ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋର(ପିକେ) ରବିବାରଠାରୁ ତାଙ୍କର ୩୫୦୦ କିଲୋମିଟର ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଭିତିହାୱାସ୍ଥିତ ଗାନ୍ଧୀ ଆଶ୍ରମରୁ ଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀ ୧୯୧୭ମସିହାରେ ଏଠାରୁ ତାଙ୍କର ପ୍ରଥମ ସତ୍ୟଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଯାତ୍ରାର ତିନୋଟି ମୁଖ୍ୟ ଲକ୍ଷ୍ୟ ରହିଛି, ଯେଉଁଥିରେ ତୃଣମୂଳ ସ୍ତରରେ ସଠିକ ଲୋକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗଣତାନ୍ତ୍ରିକ ପ୍ଲାଟଫର୍ମକୁ ଆଣିବାକୁ ସାମିଲ କରାଯାଇଛି। ଏହି ଯାତ୍ରା ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ମତାମତକୁ ଅନ୍ତର୍ଭୁକ୍ତ କରି ରାଜ୍ୟ ପାଇଁ ଏକ ଭିଜନ ପ୍ରସ୍ତୁତିର କାର୍ଯ୍ୟ କରିବ।

ପ୍ରଶାନ୍ତ କିଶୋରଙ୍କ ଏହି ଯାତ୍ରା ୧୨ ରୁ ୧୮ ମାସ ପର୍ଯ୍ୟନ୍ତ ଚାଲିବ। ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନୂତନ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରଶାନ୍ତ କିଶୋର ଜୋର ଦେଇଛନ୍ତି ଯେ ଏହି ଅଭିଯାନରେ ତାଙ୍କ ସହ ଜଡିତ ଥିବା ବ୍ୟକ୍ତିଙ୍କ ଦ୍ୱାରା ଯେକୌଣସି ରାଜନୈତିକ ନିଷ୍ପତ୍ତି ନିଆଯିବ। ମାତ୍ର ସେ କୌଣସି ନିଷ୍ପତ୍ତି ଗ୍ରହଣ କରିବେ ନାହିଁ।

ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୧୮ରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ରେ ଯୋଗ ଦେଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିବାରୁ ତାଙ୍କୁ ୨୦୨୦ରେ ଦଳରୁ ବହିଷ୍କାର କରାଯାଇଥିଲା। ବିଶେଷକରି ଯେତେବେଳେ ନୀତୀଶ କୁମାର ସଂଶୋଧିତ ନାଗରିକତ୍ୱ ଆଇନକୁ ସମର୍ଥନ କରିଥିଲେ ସେତେବେଳେ ପ୍ରଶାନ୍ତ କିଶୋର ତାଙ୍କୁ ସମାଲୋଚନା କରିଥିଲେ।

ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଶାନ୍ତ କିଶୋରଙ୍କ ଯାତ୍ରା ସମୟରେ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକକୁ ପହଞ୍ଚିବାକୁ ଚେଷ୍ଟା କରିବେ ଏବଂ କୌଣସି ଛୁଟି ନ ନେଇ ଶେଷ ପର୍ଯ୍ୟନ୍ତ ଏହାର ଏକ ଅଂଶ ହୋଇ ରହିବେ।

Share