Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣର ଭୟାନକ ଚିତ୍ର, ଜେଜେଙ୍କ ମୃତଦେହ ପାଖରେ ବସିଛନ୍ତି ନାତି

ଶ୍ରୀନଗର,୧।୭: ଜମ୍ମୁକଶ୍ମୀରର ସୋପୋରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରଏଫ)ର ଏକ ଭ୍ୟାନ୍‌ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ସିଆରଏଫ ୧୭୯ ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ ଶହୀଦ ହେବା ସହ ଜଣେ ସାଧାରଣ ବୃଦ୍ଧ ନାଗରିକ ମଧ୍ୟ ନିହତ ହୋଇଛନ୍ତି। ଗୁଳିବର୍ଷଣବେଳେ ଜଣେ ସିଆରଏଫର ଜଣେ ଯବାନ ମୃତ ବୁଦ୍ଧଙ୍କ କୁନି ନାତିଙ୍କ ଜୀବନ ବଞ୍ଚାଇଛନ୍ତି। ଯବାନ ଶିଶୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନେଉଥିବାର ଭିଡିଓ ଭାଇରାଲ ହୋଇଛି। କୁନି ଶିଶୁଟିର ବୟସ ମାତ୍ର ୩ ବର୍ଷ। ସକାଳୁ ନିଜ ଜେଜେଙ୍କ ସହ ଚାଲିବା ପାଇଁ ଆସିଥିବାବେଳେ ଅଚାନକ ଆତଙ୍କବାଦୀମାନେ ଗୁଳିବର୍ଷଣ କରିଥିଲେ। ଗୁଳି ବାଜିବାରୁ ଜେଜେଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଶିଶୁଟି ବଞ୍ଚିଯାଇଥିଲେ। ଏହାପରେ ସେ ଜେଜେଙ୍କ ମୃତଦେହ ଉପରେ ବସି କାନ୍ଦିବାକୁ ଲାଗିଥିଲେ। ଏହି ସମୟରେ ଜଣେ ଯବାନ ତାଙ୍କୁ କାଖେଇ ସିଆରଏଫ୍‌ ଗାଡିରେ ବସାଇ ନେଇଥିଲେ। ଏହି ସମୟରେ ପିଲାଟି ହାତରେ ଏକ ବିସ୍କୁଟ ପ୍ୟାକେଟ୍‌ ଧରିଥିବାର ଦେଖାଯାଇଥିଲା।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ସହିତ ବର୍ତ୍ତମାନ ନିରୀହ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆତଙ୍କବାଦର ଚିତ୍ର ବର୍ଣ୍ଣନା କରୁଥିବା ଏହି ଚିତ୍ର ସମସ୍ତଙ୍କୁ ଥରାଇ ଦେଇଛି।

Share