Categories: ଜାତୀୟ

ଲସ୍କର-ଇ-ତୋଏବାର ୨ଆତଙ୍କବାଦୀ ଗିରଫ

ବଡଗାମ,୨୮।୩: ମଧ୍ୟ କଶ୍ମୀରର ବଡଗାମରେ ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ବଡଗାମ ଜିଲାରୁ ୨ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଗିରଫ ହୋଇଥିବା ଉଭୟ ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ବାସିନ୍ଦା ଏବଂ ଗତବର୍ଷରୁ ସେମାନେ ସକ୍ରିୟ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବଡଗାମର ସୁନେରଗୁଣ୍ଡ ଅଞ୍ଚଳରେ ୬୨ଆରଆର ସେନା ସହିତ ପୋଲିସ ମିଳିତ ସର୍ଚ୍ଚ ଅପରେସ୍‌ନ କରିଥିଲା। ଏଥିରେ ଲସ୍କର-ଇ-ତୋଏବାର ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଲସ୍କର-ଇ-ତୋଏବାର ପ୍ରତିବନ୍ଧକ ସାମଗ୍ରୀ, ଗୋଟିଏ ଚାଇନା ବନ୍ଧୁକ, ୨ଟି ବନ୍ଧୁକ ମାଗାଜିନ, ୧୨ଟି ଜୀବନ୍ତ ଗୁଳି ଏବଂ ଏକେ-୪୭ର ୩୨ଟି ଗୁଳି ଜବତ କରାଯାଇଛି ବୋଲି ବଡଗାମ ପୋଲିସ ସୂଚନା ଦେଇଛି। ତେବେ ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ରାମନଗରୀ ଶୋପିଆନର ୱାସିମ ଅହମ୍ମଦ ଗନଇ ଏବଂ ସେଡୋ ଶୋପିଆନର ଇକ୍‌ବାଲ ଅଶରଫ ଶେଖ୍‌ ବୋଲି ଜଣାପଡିଛି। ବଡଗାମ ଥାନାରେ ସୋମନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Share