Categories: ଜାତୀୟ

ଟଳିପଡ଼ିଲେ ୨ ଆତଙ୍କବାଦୀ

ପୁଲଓ୍ବାମା, ୩୦।୫: ପୁଲୱାମାର ଅଓ୍ବନ୍ତିପୋରାର ରାଜପୋରାଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେଶନ ସମୟରେ ଦୁଇଟି ଏକେ-୪୭ ଏବଂ ବିଭିନ୍ନ ଅପରାଧ ସାମଗ୍ରୀ ଏଠାରୁ ଉଦ୍ଧାର କରାଯାଇଛି। ମୃତ ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ତ୍ରାଲର ଶହୀଦ ଏବଂ ଅନ୍ୟ ଜଣେ ଶୋପିୟାନର ବାସିନ୍ଦା ଉମର ୟୁସୁଫ ବୋଲି ଜଣାପଡିଛି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର ସମ୍ପର୍କରେ ସୂଚନା ଦିଆଯାଇଛି। କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି, ଆତଙ୍କବାଦୀ ଅପରାଧ ବ୍ୟତୀତ ଶାହିଲା ନାମକ ଜଣେ ମହିଳାଙ୍କ ହତ୍ୟା ଏବଂ ସରକାରୀ କର୍ମଚାରୀ ଜାଭିଦ ଅହମ୍ମଦଙ୍କ ହତ୍ୟାରେ ମଧ୍ୟ ଶହୀଦର ସମ୍ପୃକ୍ତ ରହିଛି।
ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ରବିବାର ସେନା ସୂଚନା ପାଇଥିଲା। ପରେ ସେଠାରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ରବିବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁଇ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ପୋଲିସ ଏହି ସୂଚନା ଦେଇଥିଲା।

Share