Categories: ଜାତୀୟ

ଜମ୍ମୁ-କଶ୍ମୀର ଏଲ୍‌ଜି ଗିରୀଶ ମୁର୍ମୁଙ୍କ ଇସ୍ତଫା

ନୂଆଦିଲ୍ଲୀ,୬ା୮ : ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ମୁର୍ମୁଙ୍କୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତି ମିଳିପାରେ ବୋଲି କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯାଇଥିଲା। ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା। ସେତେବେଳେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଗୋଆକୁ ପଠାଇଦିଆଯାଇଥିଲା। ତାଙ୍କ ସ୍ଥାନରେ ୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବୁଧବାର ବର୍ଷେ ପୂରିଥିବାବେଳେ ମୟୂରଭଞ୍ଜ ଜିଲା ବେତନଟୀ ବାସିନ୍ଦା ଗିରୀଶଙ୍କ ଇସ୍ତଫା ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କ ପ୍ରଧାନ ସଚିବ ଥିଲେ।

Share