ଯାମିନୀ ଷଡ଼ଙ୍ଗୀ ହେଲେ ଓଏଭିର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ବର, ୪ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍‌ଡି ଥିଲେ। ତାଙ୍କ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ଆଇଏଏସ୍‌ କ୍ୟାଡରରେ ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି। ଏହାସହିତ ଷଡ଼ଙ୍ଗୀ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପଦୋନ୍ନତି ପ୍ରାପ୍ତ ଆଇଏଏସ୍‌ ଅଫିସର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଧର୍ମଗଡ଼ ଉପଜିଲାପାଳ ତଥା ଧର୍ମଗଡ଼ ଏନ୍‌ଏସି କାର୍ଯ୍ୟର୍ନିବାହୀ ଅଧିକାରୀ ୨୦୨୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବେଦଭୂଷଣ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛନ୍ତି। ସମ୍ବଲପୁର ମ୍ୟୁନିସିପାଲ କର୍ପୋରେଶନ କମିଶନର ପଦବୀରେ ତାଙ୍କୁ ଆଇଏଏସ୍‌ କ୍ୟାଡରରେ ଅନୁ ସଚିବ ପାହ୍ୟା ଅନୁଯାୟୀ ସବୁ ସୁବିଧା ମିଳିବ। ସେହିପରି ବରିଷ୍ଠ ଓଏଏସ୍‌ ଅଫିସର ତଥା ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ନୃସିଂହ ଚରଣ ସ୍ବାଇଁଙ୍କୁ ବୌଦ୍ଧ ଜିଲାପାଳ ଭାବେ ବଦଳି କରାଯାଇଛି। ବୌଦ୍ଧ ଜିଲାପାଳ ବରିଷ୍ଠ ଓଏଏସ୍‌ ଅଫିସର ସତ୍ୟରଞ୍ଜନ ସାହୁ ଜୁନ୍‌ ୩୦ରେ ସରକାରୀ ଚାକିରିରୁ ଅବସର ନେବାପରେ ଏହି ପଦବୀ ଖାଲି ପଡ଼ିଥିଲା। ସୂଚନାଯୋଗ୍ୟ, ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଯାମିନୀ ଷଡ଼ଙ୍ଗୀ ଆମେରିକାର ‘ମାଷ୍ଟର ଇନ୍‌ ପବ୍ଲିକ ପଲିସି’ରେ ପାଠ ପଢ଼ିବା ନିମନ୍ତେ ୨୦୨୨ ଜୁଲାଇ ୧ରୁ ଷ୍ଟଡି ଲିଭ୍‌ରେ ଥିଲେ। ରାଜ୍ୟ ସରକାର ତାଙ୍କୁ ଏହି ଅବଧିରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପାହ୍ୟାରେ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ।