ନୂଆଦିଲ୍ଲୀ,୨୯।୧୧: ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୭ ରନ୍ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୩-୧ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ । ତେବେ ମ୍ୟାଚ୍ରେ ଜେମି ଓଭରଟନ୍ ଓ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କ ମଧ୍ୟରେ ହୋଇଥିବା ତୀବ୍ର ବଚସା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୮୧ ରନ୍ କରିଥିଲା। ଏକ ସମୟରେ ଦଳ ମାତ୍ର ୩୨ ରନ୍ରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସାମ୍ କରନ୍ଙ୍କ ଦମ୍ଦାର ଅର୍ଦ୍ଧଶତକ ଦଳକୁ ସମ୍ଭାଳିଥିଲା। ଶେଷ ଆଡ଼କୁ ଜେମି ଓଭରଟନ୍ ମାତ୍ର ୯ଟି ବଲ୍ରୁ ୩ଟି ଛକା ସହ ୨୦ ରନ୍ କରି ଦଳର ସ୍କୋରକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।
ତେବେ ଇଂଲଣ୍ଡ ପାଳିର ଶେଷ ଓଭରର ତୃତୀୟ ବଲ୍ ପରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓଭରଟନ୍ । ତାଙ୍କ ମତରେ ବଲ୍ଟି ୱାଇଡ୍ ହେବା ଉଚିତ ଥିଲା। କିନ୍ତୁ ଅମ୍ପାୟାର ଏହାକୁ ୱାଇଡ୍ ଘୋଷଣା କରିନଥିଲେ। ଏହାକୁ ନେଇ ଓଭରଟନ୍ ରାଗିଯାଇଥିଲେ ଏବଂ ବୋଲରଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କ ସହ ମଧ୍ୟ ତାଙ୍କର ତୀବ୍ର ବଚସା ହୋଇଥିଲା।
ମ୍ୟାଚ୍ରେ ଓଭରଟନ୍ଙ୍କ ଆକ୍ରମଣାତ୍ମକ ମନୋଭାବ ଏତିକିରେ ସୀମିତ ରହିନଥିଲା। ବୋଲିଂ କରିବା ସମୟରେ ମଧ୍ୟ ସେ ରାଗିଥିବା ଦେଖିବାକୁ ମିଳିଥିଲା। ଜଣେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ସହ ମଧ୍ୟ ମୁହାଁମୁହିଁ ହେବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କର ୯ ବଲ୍ରୁ ୨୦ ରନ୍ର ଇନିଂସ ଇଂଲଣ୍ଡର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ୧୮୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମିଚେଲ ମାର୍ଶ ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ମାତ୍ର ୫୭ଟି ବଲ୍ରୁ ୯ଟି ଛକା ଓ ୯ଟି ଚୌକା ସହ ୧୧୯ ରନ୍ର ଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ଅନ୍ୟ ବ୍ୟାଟରଙ୍କଠାରୁ ଆଶାନୁରୂପ ସହଯୋଗ ନମିଳିବାରୁ ଅଷ୍ଟ୍ରେଲିଆ ଲକ୍ଷ୍ୟଠାରୁ ପଛରେ ରହିଯାଇଥିଲା। ସିରିଜ୍ର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଏହା ପରେ ଲଗାତାର ତିନୋଟି ମ୍ୟାଚ୍ ଜିତି ସିରିଜ୍କୁ ନିଜ କବ୍ଜାକୁ ନେଇଛି ଇଂଲଣ୍ଡ।