Categories: ଖେଳ

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ସହ ଆଣ୍ଡରସନଙ୍କ ତୁ ତୁ ମେଁ ମେଁ ହୋଇଥିଲା। ଏହାକୁ ନେଇ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ତର୍କ ବିତର୍କ ଜାରି ରହିଥିବା ବେଳେ କ୍ରିକେଟରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆଣ୍ଡରସନ ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଫଟୋକୁ ଖଣ୍ଡ ଖଣ୍ଡ କରୁଥିବା ଦେଖାଯାଇଛି।

ଭାଇରାଲ ଭିଡିଓଟି ଆଇପିଏଲ୍‌ ୨୦୧୯ ସମୟର। ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଚାଲିଥିବା ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ରେ ଅଶ୍ୱିନ ଅମ୍ପାୟାରଙ୍କ ସହଯୋଗରେ ଜୋସ ବଟଲରଙ୍କୁ ଆଉଟ୍‌ କରିଥିଲେ। ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଣ୍ଡରସନ ଏକ ସାକ୍ଷାତକାରରେ ଅଶ୍ୱିନଙ୍କ ଏଭଳି ବ୍ୟବହାରକୁ ପସନ୍ଦ କରି ନ ଥିଲେ। ଏହା ଖେଳ ଭାବନା ବିପରିତରେ ବୋଲି କହିଥିଲେ। ଏହି ସାକ୍ଷାତକାରର ହୋଷ୍ଟ ଗ୍ରେଗ୍‌ ଜେମ୍ସ ଏକ ଭିଡିଓ ଶେୟାର କରିଥିଲେ। ଏବେ ଉକ୍ତ ଭିଡିଓଟି ପୁଣିଥରେ ଭାଇରାଲ ହେଉଛି।

Share