ବଢୁଛି ଜଳକା, ବୈତରଣୀ

ରୂପସା/ଭଣ୍ଡାରିପୋଖରୀ, ୧୪ ।୮(ଡି.ଏନ.ଏ./ସ୍ବ.ପ୍ର.): ଲଗାଣବର୍ଷା ଯୋଗୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର ଏହା ବିପଦ ସଂକେତ ଅତିକ୍ରମ କରି ୬.୨୯ ମିଟରରେ ପହଞ୍ଚତ୍ଥିଲା। ସନ୍ଧ୍ୟାପରେ ଜଳସ୍ତର ହଠାତ୍‌ କମିବା ଆରମ୍ଭ ହୋଇ ଶନିବାର ପୂର୍ବାହ୍ନ ୭ଟା ସୁଦ୍ଧା ୫.୯୮ରେ ପହଞ୍ଚିଥିଲା। ପୁଣି ଦିନ ୧୦ଟାରୁ ଜଳସ୍ତର ବୃଦ୍ଧି ହୋଇ ଅପରାହ୍ନ ୬ଟାରେ ୬.୩୧ମି.ରେ ପହଞ୍ଚିଥିଲା। ସେହିପରି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୧୮.୦୪ ମିଟରରେ ପହଞ୍ଚିଛି।
ବାଲେଶ୍ୱର ଜିଲା ବସ୍ତା ବ୍ଲକର ମଥାନୀ, ଦୁଧହଂସା ଏବଂ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତର ୧୫ରୁ ଊଦ୍ଧର୍‌ବ ଗ୍ରାମ ପାଣିଘେରରେ ରହିଛି। ଏହାଛଡ଼ା ରାଉତପଡ଼ା, ଗଡ଼ପଦା, ବାହାର୍ଦ୍ଦା, ବାସୁଚକୁରାଇ ଆଦି ପଞ୍ଚାୟତର ଚାଷଜମି ଜଳମଗ୍ନ ରହିଛି। ଦିନତମାମ ଜଳସ୍ତର ବଢୁଥିବାରୁ ବସ୍ତାରେ ଏକ ବଡ଼ ବନ୍ୟାର ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ତଥା ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ପ୍ରାୟ ୫୦ ହେକ୍ଟର ଚାଷ ଜମିରେ ବନ୍ୟାଜଳ ଜମି ରହିଛି। ବର୍ଷାଜଳ ନଦୀକୁ ନିଷ୍କାସନ ହୋଇପାରୁ ନ ଥିବାରୁ ଚାଷ ସମ୍ପୂର୍ଣ୍ଣ କ୍ଷତି ହେବା ଆଶଙ୍କା ଦେଖାଦେଇଛି।
ଭଦ୍ରକ ଜିଲା ଆଖୁଆପଦା ଜଳସେଚନ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରାଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରୁ ଜଳସ୍ତର ହ୍ରାସ ପାଇଥିଲା। ଶନିବାର ସକାଳ ୫ଟା ମଧ୍ୟରେ ୧୭.୫୭ ମିଟରକୁ ଖସିଥିଲା। ଏହାପରେ ସ୍ଥିର ରହି ପୁଣି ସକାଳ ୬ଟାରୁ ବଢ଼ିବା ଆରମ୍ଭ କରିଛି। ଉପରମୁଣ୍ଡରେ ଅଧିକ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଉଛି। ବୈତରଣୀର ବନ୍ୟାଜଳ କଣ୍ଟିଘାଇ ଏସ୍‌କେପ ଦେଇ ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ନପଙ୍ଗ, ବାଲିପୋଖରୀ ପଞ୍ଚାୟତ ସହ କୁରିଙ୍ଗl ଓ ରହଣିଆ ପଞ୍ଚାୟତର ଆଂଶିକ ଗ୍ରାମରେ ପ୍ରବେଶ କରିବା ଆଶଙ୍କା ରହିଛି।