ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ଗୁରୁତରଙ୍କୁ ଭେଟିଲେ ନିରଞ୍ଜନ

ଭଣ୍ଡାରିପୋଖରୀ,୧୦।୭(ରବିନାରାୟଣ ଖିଲାର): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଅଳ୍ପ କେଇଦିନ ବ୍ୟବଧାନରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରେନ୍‌ ମାଡ଼ିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳର ବଳିପୁର ଗାଁର ଅମର ସାହୁ(୩୧)ଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ।

ଗୁରୁତର ଅମର ଶଯ୍ୟାଶାୟୀ ଥିବାବେଳେ କଟକରେ ତାଙ୍କର ପେଟ ଅପରେଶନ ହୋଇଛି। ପରବର୍ତ୍ତୀ ସମୟରେ ଅଣ୍ଟା ଓ ହାତ ଅପରେଶନ ହେବାକୁ ଥିବାବେଳେ ଅମରଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବା ଖବର ପାଇ ନିରଞ୍ଜନ ବଳିପୁରରେ ପହଞ୍ଚି ଥିଲେ। ଏକମାତ୍ର ରୋଜଗାରକ୍ଷମ ପୁଅର ଏଭଳି ଅବସ୍ଥାରେ ଭାଙ୍ଗିପଡ଼ିଥିବା ପରିବାର ଲୋକଙ୍କୁ ମନୋବଳ ଦୃଢ଼ କରିବାକୁ ସେ ପରାମର୍ଶ ଦେଇ ଅମରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ସେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବିଜୟ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।