ଯାଜପୁର ପୌର ପରିଷଦ: କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ବ୍ୟାନର ପୋଡ଼ି ଅଭିଯୋଗ

ଯାଜପୁର ଟାଉନ,୧୮ା୩(ଡି.ଏନ.ଏ.): ଯାଜପୁର ପୌର ପରିଷଦର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରିୟଦର୍ଶିନୀ ସାମନ୍ତଙ୍କ ଏକ ବ୍ୟାନର ଯାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଲଗାଯାଇଥିଲା। ତେବେ ଉକ୍ତ ବ୍ୟାନରକୁ କେହି ଅସାମାଜିକ ବ୍ୟକ୍ତି ପୋଡ଼ି ଦେଇଥିବା ଗୁରୁବାର ସକାଳେ ଜଣାପଡ଼ିଛି। ଏହାପରେ ଯାଜପୁର ନଗର କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ କରାଯାଇ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହିତ ନଗର କଂଗ୍ରେସ ତରଫରୁ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ଯାଜପୁର ଥାନା ଏବଂ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୌର ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ପ୍ରଶାସନ ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି ତା’ର ଖୋଲା ଉଲ୍ଲଂଘନ କରାଯାଇଛି ବୋଲି ଅଧ୍ୟକ୍ଷା ପ୍ରାର୍ଥିନୀ ସାମନ୍ତ ଅଭିଯୋଗ କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯିବା ସହିତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସମ୍ପାଦକ ସନ୍ତୋଷ କୁମାର ନନ୍ଦ, ନଗର କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ବିଭୁତି ମହାପାତ୍ର ଓ ହୃଷୀକେଶ ପତି ପ୍ରମୁଖ ଦାବି କରିଛନ୍ତି।