ଭଗବାନ ବିଷ୍ଣୁଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବତୀ, ସିନ୍ଦୂର ବଦଳରେ ସିନ୍ଥିରେ ଭରିଲେ ଚନ୍ଦନ

ଆଜିକାଲି ଅଜବ ବିବାହ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି। କିଏ ନିଜକୁ ତ କିଏ ଗଛ, କଣ୍ଢେଇ ଆଦିକୁ ଜୀବନସାଥୀ କରିଥିବା ଦେଖାଯାଇଛି। ଏହି କ୍ରମରେ ଜୟପୁରର ଜଣେ ଯୁବତୀ ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ରୂପରେ ବାଛିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏହି ପଦକ୍ଷେପକୁ ନେଇ ତାଙ୍କୁ ‘କଳିଯୁଗର ମୀରା’ ବୋଲି କୁହାଯାଉଛି।

ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ପୂଜା ସିଂହ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତିକୁ ବିବାହ କରିଛନ୍ତି। ଏହି ବିବାହରେ ସେ ସମସ୍ତ ରୀତିନୀତି ପାଳନ କରିଛନ୍ତି। ଗଣେଷ ପୂଜନଠାରୁ ଆରମ୍ଭ କରି ମେହେନ୍ଦୀ, ସଂଗୀତ ଏବଂ ବିବାହ ଆଦି କାର୍ଯ୍ୟ ସମାପନ ହୋଇଥିଲା। ବର ଭାବେ ଭଗବାନଙ୍କୁ ମନ୍ଦିରରୁ ପୂଜାଙ୍କ ଘରକୁ ଅଣାଯାଇଥିଲା। ସେଠାରେ ମନ୍ତ୍ରୋଚ୍ଚାରଣ ସହ ବିବାହ ସମ୍ପନ୍ନ ହୋଇଛି।

ପୂଜା ଜୟପୁରର ଗୋବିନ୍ଦଗଡ଼ ଗ୍ରାମର ନରସିଂହପୂରାର ବାସିନ୍ଦା। ସେ ଡିସେମ୍ବର ୮ରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହରେ ୩୧୧ଜଣ ବରଯାତ୍ରୀ ଆସିଥିଲେ। ବେଶ ଧୁମ୍‌ଧାମରେ ପୂଜାଙ୍କ ପିତାମାତା ଭଗବାନଙ୍କ ସ୍ବାଗତ କରିଥିଲେ। ବିବାହ ଶେଷ ଆଡ଼କୁ ପୂଜା ନିଜେ ଭଗବାନଙ୍କ ନାମର ଚନ୍ଦନ(ସିନ୍ଦୂର ବଦଳରେ) ନିଜ ସିନ୍ଥିରେ ଭରିଥିଲେ। ଏହାପରେ ଝିଅ ବିଦା ନୀତି ଅନୁଷ୍ଠିତ ହୋଇଥିଲା। ପୂଜାଙ୍କ ପରିବାର ତରଫରୁ କନ୍ୟାଦାନରେ ୧୧ ହଜାର ଟଙ୍କା ଦିଆଯାଇଥିଲା। ସେହିଭଳି ଭଗବାନଙ୍କୁ ଏକ ସିଂହାସନ ଏବଂ ପୋଷାକ ଉପହାର ଭାବେ ଦିଆଯାଇଥିଲା।

ତେବେ ନିଜର ବିବାହକୁ ନେଇ ପୂଜା କହିଛନ୍ତି, ମୁଁ ଭଗବାନଙ୍କୁ ନିଜର ସ୍ବାମୀ ଭାବେ ସ୍ବୀକାର କରିଛି। ପୂର୍ବରୁ ‘ତୁଳସୀ ବିବାହ’ ଦେଖିଥିଲି। ପ୍ରଥମେ ପଣ୍ଡିତଙ୍କ ସହ ଆଲୋଚନା ପରେ ପରିବାରଲୋକଙ୍କୁ ବୁଝାଇଥିଲି। ମା’ ହଁ କହିବା ପରେ ସବୁକିଛି ସଫଳ ହୋଇଛି। ଏଣିକି ତାଙ୍କ ଭକ୍ତିରେ ଶେଷ ଜୀବନ ଯାଏ ଲୀନ ରହିବି।

Share