ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଦ ଶ୍ରୀ ମାତାଜୀ(୮୦)।

ମିଳିଥିବା ସୂଚନା ଅନୁଯାୟୀ, ମାତାଜୀ ଜୈନ ଧର୍ମ ପ୍ରଚାର ପାଇଁ ଚାଲି ଚାଲି ଭାରତ ଭ୍ରମଣ କରୁଥିଲେ। ତାଙ୍କ ସହ ୬ ଜଣ ସନ୍ନ୍ୟାସିନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଦିଗାମ୍ବର ଜୈନ ଆଶ୍ରମରୁ ବାହାରି ଗୁରୁବାର କଟକ ଚୌଧୁରୀ ବଜାରସ୍ଥିତ ଦିଗାମ୍ବର ଜୈନଧର୍ମ ଆଶ୍ରମ ଅଭିମୁଖେ ଯାଉଥିଲେ।

ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବସ୍‌ ପଛରୁ ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବାରୁ ବସ୍‌ ଚକ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବରପାଇ କଟକ ସଦର ଓ ଜାତୀୟ ରାଜପଥ ଟ୍ରାଫିକ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଛି। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି।