Categories: ଜାତୀୟ

ଜେଲ୍‌ରେ ଥାଇ ପ୍ରୋଟିନ ଶେକ୍‌ ଦାବି କରୁଛନ୍ତି

ନୂଆଦିଲ୍ଲୀ,୮।୬: ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦେଶର ସଫଳତମ ରେସଲର ସୁଶୀଲ କୁମାର ପ୍ରୋଟିନ ଶେକ୍‌ ପାଇଁ ଦାବି କରୁଛନ୍ତି। କେବଳ ଏତିକି ନୁହେଁ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ଲାଗି ସ୍ବତନ୍ତ୍ର ଡାଏଟ୍‌ ଓ ଏକ୍ସରସାଇଜ କରିବା ପାଇଁ ବ୍ୟାଣ୍ଡ୍‌ସ ଯୋଗାଇ ଦେବାକୁ ଦାବି କରିଛନ୍ତି ସୁଶୀଲ ।

ଦେଶର ଏକମାତ୍ର ଆଥଲେଟ୍‌ ଭାବେ ଅଲିମ୍ପିକ୍ସରେ ଦୁଇ ଥର ପଦକ ହାତେଇଥିବା ସୁଶୀଲ ଉପରୋକ୍ତ ସୁବିଧା ପାଇଁ ଅନୁରୋଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟରେ। ସୁଶୀଲଙ୍କ ଆବେଦନର ଶୁଣାଣି ବୁଧବାର ହୋଇପାରେ। ଉଲ୍ଲେଖଯୋଗ୍ୟ, ଜେଲ୍‌ରେ କଏଦୀଙ୍କୁ ଖାଇବାକୁ ୫ଟି ରୁଟି ସହ ୨ ପ୍ରକାର ତରକାରୀ, ଡାଲି ଓ ଭାତ ଦିନକୁ ଦୁଇ ବେଳା ଦିଆଯାଏ। ଏହା ବାଦ୍‌ ଜେଲ୍‌ କ୍ୟାଣ୍ଟିନରୁ ୬ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ କିଣିବାର ସୁବିଧା ମଧ୍ୟ ଦିଆଯାଏ। ତେବେ ଜେଲରେ ଦିଆଯାଉଥିବା ଖାଦ୍ୟ ସୁଶୀଲଙ୍କ ଭଳି ଯୋଦ୍ଧା ପାଇଁ ଯଥେଷ୍ଟ ନୁହେଁ।

ଯୁବ ରେସଲର ସାଗର ଧାଙ୍କରଙ୍କ ହତ୍ୟା ମାମଲାରେ ମେ’ ୨୩ରେ ଗିରଫ ହୋଇଥିଲେ ଚାମ୍ପିୟନ କୁସ୍ତିଯୋଦ୍ଧା। ଦେଶକୁ କୁସ୍ତିଯୋଦ୍ଧାରେ ଅନେକ ପଦକ ଦେଇଥିବା ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ଗୁରୁତର ହୋଇଥିଲେ ସାଗର। ମେ’ ପ୍ରଥମ ସପ୍ତାହରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ହୋଇଥିଲା। ଗିରଫ ହେବା ଭୟରେ ୩ ସପ୍ତାହ ଧରି ଫେରାର ଥିଲେ ସୁଶୀଲ।

Share