ଜେଲ୍‌ ଫାର୍ମାସିଷ୍ଟ ଗିରଫ

କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି ଗ୍ରାମର ନୀର ଓରଫ ନିରାକାର ସାହୁଙ୍କ ହତ୍ୟା ଘଟଣାରେ ଗିରଫଦାରି ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ହତ୍ୟା ଘଟଣାର ତଦନ୍ତ କରୁଥିବା କାମାକ୍ଷାନଗର ପୋଲିସ ସୋମବାର କାମାକ୍ଷାନଗର ଉପଖଣ୍ଡ ଉପକାରାଗାରର ଫାର୍ମାସିଷ୍ଟ ସୁବାସ ନାୟକଙ୍କୁ ଗିରଫ କରିଛି। ସୁବାସ ଚୋରା ବନ୍ଧୁକ କାରବାରରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି।
ପ୍ରକାଶ ଯେ, ସେପ୍ଟେମ୍ବର ୨୮ରେ ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ ସଉରିଆ ଆମ୍ବତୋଟା ନିକଟରୁ ନୀରଙ୍କ ଗୁଳିବିଦ୍ଧ ମୃତଦେହ ପୋଲିସ ଜବତ କରିଥିଲା। ଏହି ମାମଲାରେ ନୀରଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିବା ସମିତି ସଭ୍ୟ ଦୀପକଙ୍କ ପୁଅ ଦିବ୍ୟଦର୍ଶନଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଗତ ରବିବାର ରାତିରେ ୨ ସୁପାରିକିଲର ରାକେଶ ନାଥ ଓ ସହଯୋଗୀ ଦେବ ବ୍ରଜଙ୍କୁ ମୟୂରଭଞ୍ଜରୁ ଗିରଫ କରିବାରେ ସଫଳ ହୋଇଥିଲା। ସମ୍ପୃକ୍ତ ସୁପାରିକିଲରଙ୍କ ତଥ୍ୟ ଆଧାରରେ ପୋଲିସ ସୋମବାର ରାତିରେ କାମାକ୍ଷାନଗର ଉପକାରାଗାରର ଫାର୍ମାସିଷ୍ଟ ସୁବାସଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବହୁ ତଥ୍ୟ ସଂଗ୍ରହ କରିଛି। ସୁବାସ ଜେଲ ଭିତରେ ସମସ୍ତ ଅପରାଧୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ସୁପାରିକିଲର ରାକେଶ ସହଯୋଗରେ ଚୋରା ବନ୍ଧୁକ କାରବାରରେ ଲିପ୍ତ ଥିବା ପୋଲିସ ପ୍ରକାଶ କରିଛି।