Categories: ଜାତୀୟ

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା: ଭିଏଚ୍‌ପି-ବଜରଙ୍ଗ ଦଳ ନାଁରେ ଏଫ୍‌ଆଇଆର ରୁଜୁ

ନୂଆଦିଲ୍ଲୀ,୧୮।୪:ହନୁମାନ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ବିନା ଅନୁମତିରେ ଭିଏଚ୍‌ପି ଏବଂ ବଜରଙ୍ଗ ଦଳ ଶୋଭାଯାତ୍ରା ବାହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସେବା ମୁଖ୍ୟ ପ୍ରେମ ଶର୍ମାଙ୍କୁ ମଧ୍ୟ ଗିରଫ କରିଛି। ଭିଏଚ୍‌ପିର ଜିଲା ସେବା ମୁଖ୍ୟ ପ୍ରେମ ଶର୍ମା ବିନା ଅନୁମତିରେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାର କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ ୧୭ରେ ବଜରଙ୍ଗ ଦଳ ଓ ଭିଏଚ୍‌ପି ଆୟୋଜକମାନେ ବିନା ଅନୁମତିରେ ଏହି ଶୋଭାଯାତ୍ରା ବାହାର କରିଥିଲେ ବୋଲି ଡିସିପି ଏନଡବ୍ଲୁ ଉଷା ରଙ୍ଗନାନି କହିଛନ୍ତି। ଏହି ମାମଲାରେ ଉଭୟ ସଂଗଠନ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନଙ୍କ ଜନ୍ମ ବାର୍ଷିକୀରେ ଶନିବାର ସନ୍ଧ୍ୟାରେ ଶୋଭାଯାତ୍ରାରେ ପଥର ଫିଙ୍ଗିବା ପରେ ଦେଖାଦେଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅନ୍‌ସାରଙ୍କ ସମେତ ପୋଲିସ ୨୪ଜଣଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ୨ଜଣ ନାବାଳକ ମଧ୍ୟ ଗିରଫ ହୋଇଛନ୍ତି। ଅନ୍ୟପଟେ ଅନ୍‌ସାର ଓ ସଲିମ୍‌ଙ୍କୁ ୨ଦିନିଆ ରିମାଣ୍ଡରେ ନେଇ କ୍ରାଇମ ବ୍ରାଞ୍ଚ ପଚରାଉଚରା କରିବ। ଅନ୍ୟ ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ଉକ୍ତ ଅଞ୍ଚଳରେ କୌଣସି ଅପ୍ରତିକର ପରିସ୍ଥିତି ନ ଉପୁଜିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘଟଣାସ୍ଥଳରେ ସିଆରପିଏଫ୍‌ ଓ ଆରଏଏଫ୍‌ର ୫ଟି ଅତିରିକ୍ତ କମ୍ପାନୀକୁ ନିୟୋଜିତ କରାଯାଇଛି।

Share