Categories: ଜାତୀୟ

ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍‌ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏଥିସହ ଉଭୟ ସମ୍ପ୍ରଦାୟର ଲୋକମାନେ ପ୍ରତିଜ୍ଞା କରିଛନ୍ତି ଯେ, ଏଭଳି ଘଟଣା ଯେପରି ଭବିଷ୍ୟତରେ ଆଉ ଘଟିବ ନାହିଁ। ଇତିମଧ୍ୟରେ ରବିବାର ଉଭୟ ସମ୍ପ୍ରଦାୟର ଲୋକମାନେ ଭାଇଚାରାକୁ ପ୍ରତିନିଧିତ୍ୱ କରିବା ପାଇଁ ସେହି ଅଞ୍ଚଳରେ ତିରଙ୍ଗା ଯାତ୍ରା ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁଶଲ ଛକରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ଏନେଇ ସୂଚନା ଦିଆଯାଇଛି। ମୁସଲିମ ସମ୍ପ୍ରଦାୟର ଜଣେ ପ୍ରତିନିଧୀ ତବରେଜ ଖାନ କହିଛନ୍ତି, ଆମେ ସହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଛୁ। ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେନେଇ ଆମେ ନିଶ୍ଚିତ କରିବୁ। ପୋଲିସ ଫୋର୍ସ ଏବଂ ବ୍ୟାରିକେଡିଂକୁ ହ୍ରାସ କରିବାକୁ ପୋଲିସକୁ ତବରେଜ ଖାନ ଅନୁରୋଧ କରିଛନ୍ତି। ଅନ୍ୟପଟେ ହିନ୍ଦୁ ସମ୍ପ୍ରଦାୟର ସ୍ଥାନୀୟ ବାସିନ୍ଦା ତଥା ରେସିଡେଣ୍ଟ ୱେଲଫେୟାର ଆସୋସିଏଶନର ଅଧ୍ୟକ୍ଷ ଇନ୍ଦର ମଣି ତିୱାରୀ କହିଛନ୍ତି, ଏଭଳି ଘଟଣା ପ୍ରକୃତରେ ଚିନ୍ତାଜନକ। ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ସେ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଛି।

Share