Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା ଘଟଣା: ଗୃହ ମନ୍ତ୍ରଣାଳକୁ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୯।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀଙ୍କ ଅବସରରେ ହୋଇଥିବା ହିଂସା ସମ୍ପର୍କରେ ଦିଲ୍ଲୀ ପୋଲିସ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି। ଅପରାଧିକ ଷଡଯନ୍ତ୍ରର ଏକ ଅଂଶ ଭାବରେ ଜାହାଙ୍ଗୀରପୁରୀରେ ହିଂସା ଘଟିଥିଲା। ଦିଲ୍ଲୀ ପୋଲିସ କ’ଣ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ତାହା ମଧ୍ୟ ରିପୋର୍ଟରେ ସୂଚିତ କରାଯାଇଛି। ରିପୋର୍ଟରେ ପୁରା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ଭାବରେ ସେଥିରେ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅସ୍ତ୍ର ଉଦ୍ଧାର କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୨୧ ଜଣ ବୟସ୍କ ଏବଂ ତିନିଜଣ ନାବାଳକ।
ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ହୋଇଥିଲା। ହିଂସାକାଣ୍ଡରେ କିଛି ପୋଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଥିଲେ। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

Share