Categories: ଖେଳ

ଜଗା ୟୁନାଇଟେଡ୍‌ କ୍ଲବ ସେମିରେ

ଢେଙ୍କାନାଳ ଅଫିସ,୧୭ା୧୧: ଢେଙ୍କାନାଳ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସ୍ବର୍ଗତ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ୪ର୍ଥ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ ପ୍ରତିଯୋଗିତା ବୁଧବାର ଢେଙ୍କାନାଳରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡ଼ା ସଂଘ ସଭାପତି ତଥା ଜିଲାପାଳ ସରୋଜ କୁମାର ସେଠୀ ଓ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ। ଅପରାହ୍ନ ୩ଟାରେ ଉଦ୍‌ଘାଟନୀ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ମା’ ମଙ୍ଗଳା କ୍ଲବ ଢେଙ୍କାନାଳକୁ ୪-୦ ଗୋଲରେ ପରାସ୍ତ କରି ଜଗା ୟୁନାଇଟେଡ୍‌ ଭୁବନେଶ୍ୱର ସେମି ଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମାର୍ଦ୍ଧରେ ମ୍ୟାଚ ଗୋଲଶୂନ୍ୟ ରହିଥିଲା।

ହେଲେ ଦ୍ୱିତୀୟାର୍ଦ୍ଧର ଅନ୍ତିମ ୫ ମିନିଟରେ ୪ଟି ଗୋଲ ଦେଇ ଜଗା ୟୁନାଇଟେଡ୍‌ କ୍ଲବ ଭୁବନେଶ୍ୱର ବିଜୟୀ ହୋଇଥିଲା। ଦଳ ପକ୍ଷରୁ ୨ନଂ ଖେଳାଳି ଗୁମନ ସିଂହ ପ୍ରଥମ ଗୋଲ୍‌, ୯ନଂ ଖେଳାଳି ବୋରିସ ଦ୍ୱିତୀୟ, ୧୧ନଂ ଖେଳାଳି ପିଟାରୀ ତୃତୀୟ ଓ ୪ର୍ଥ ଗୋଲ ସ୍କୋର କରିଥିଲେ। ବିଜୟୀ ଦଳର ଖେଳାଳି ପିଟାରୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ରେଫରି ଅରୁଣ ନାୟକ ଏବଂ ସହଯୋଗୀ ଜ୍ୟୋତି ରଞ୍ଜନ ପରିଡା, ଶଶିକାନ୍ତ ଦାସିଆ, ଅନିଲ ପ୍ରସାଦ ନନ୍ଦ ଖେଳ ପରିଚାଳନା କରିଥିବା ବେଳେ ମାୟାଧର ସାହୁ ମ୍ୟାଚ କମିଶନର ରହିଥିଲେ।

Share